ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି। ଏଥିସହ ବିଭିନ୍ନ ଫ୍ଲେଭରରେ ଓମଫେଡ୍ ଆଇସକ୍ରିମ୍ ମଧ୍ୟ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି, ଓମଫେଡ୍ର ନୂଆ ପ୍ରଡକ୍ଟ ବଜାରକୁ ଆଣିବା ନେଇ ବୋର୍ଡ ସହ ଆଲୋଚନା ଚାଲିଛି। ବୋର୍ଡର ଅନୁମୋଦନ ମିଳିବା ପରେ ଓମଫେଡ୍ ପାଣି ଓ ବିଭିନ୍ନ ପ୍ରକାର ଫ୍ଲେଭରର ଆଇସକ୍ରିମ୍ ବଜାରକୁ ଆସିବ। ଅନ୍ୟପକ୍ଷରେ ରାଜ୍ୟରେ କ୍ଷୀର, ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ଓମଫେଡ୍ କ୍ଷୀରର ଗୁଣବତ୍ତା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଓମଫେଡ୍ କ୍ଷୀରର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓମଫେଡ୍ କ୍ଷୀରର ତ୍ରିସ୍ତରୀୟ ଯାଞ୍ଚ କରାଯାଏ। ଏଥିରେ ଫ୍ୟାଟ୍ ଚେକିଂ ସହ ଅନ୍ୟାନ୍ୟ ଗୁଣବତ୍ତା ପରୀକ୍ଷା ହୋଇଥାଏ। କ୍ଷୀରରେ ଅପମିଶ୍ରଣ ହେଉନାହିଁ ବୋଲି ମନ୍ତ୍ରୀ କହିବା ସହ ଯଦି କୌଣସି ପ୍ରକାରର ଅପମିଶ୍ରଣ ଧରାପଡ଼େ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ବୋଲି କହିଛନ୍ତି। ସେହିପରି ଓମଫେଡ୍ କ୍ଷୀର ଦରରେ ୨ ଟଙ୍କା ବୃଦ୍ଧି ହୋଇଥିବା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ଷୀର ଦର ବୃଦ୍ଧି ଦ୍ୱାରା ଦୁଗ୍ଧ ଉତ୍ପାଦନକାରୀ କୃଷକମାନେ ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି।
ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି, ବିଭିନ୍ନ ଫ୍ଲେଭରରେ ମିଳିବ ଆଇସକ୍ରିମ୍





