ଛତ୍ରପୁର, ୪/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିସ୍ତୃତ ଆକଳନ କରିଛନ୍ତି। କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ବ୍ଲକ୍ର ଆଚୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେହିପରି ହିଞ୍ଜିଳି ବ୍ଲକ୍ର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ମଧ୍ୟ ପରିଦର୍ଶନ କରିଥିଲେ।ଅନୁଧ୍ୟାନ ସମୟରେ ଚାଷଜମିରେ ବାଲିଚର ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ଏଥିସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଚାଷଜମିକୁ ଯାଇ ଫସଲ ନଷ୍ଟର ପରିମାଣ ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୁନା ମଧ୍ୟ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ସକାଳେ ଗୋପାଳପୁର ସର୍କିଟ୍ ହାଉସ୍ଠାରେ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧି ଦଳର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ। ବିଭାଗୱାରୀ କ୍ଷତିର ବିବରଣୀ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଉପସ୍ଥାପନ କରାଯାଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହି ଗସ୍ତ ସମୟରେ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ରହି କେନ୍ଦ୍ରୀୟ ଟିମ୍କୁ ଆବଶ୍ୟକ ସହଯୋଗ କରିଥିଲେ।
ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍





