ଓଡ଼ିଶା’ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ ଓଡ଼ିଶାରେ ଆଉ ୨୯୦ଟି ନୂଆ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ ପାଇଁ ପଦକ୍ଷେପ

Pradeep Kar

କଟକ/ଭୁବନେଶ୍ୱର, ୦୩ ନଭେମ୍ବର ୨୦୨୬:ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ଦିଗରେ ବିଭାଗ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛି। ସେହିପରି କେନ୍ଦ୍ର ସରକାର ମଧ୍ୟ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ପ୍ରଦାନ କରି ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ ଭିତ୍ତିଭୂମି ସମ୍ପ୍ରସାରଣ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ରାଜ୍ୟର ୭ଟି ପ୍ରମୁଖ ସହରରେ ମୋଟ ୧୭୦ଟି ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଆଉ ୧୩ଟି ପ୍ରମୁଖ ସହର ଯଥା— ରାଉରକେଲା, ତାଳଚେର, ସମ୍ବଲପୁର, ପାରାଦୀପ, ବଡ଼ବିଲ, ବେଲପାହାଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, ଝାରସୁଗୁଡ଼ା, ଯୋଡ଼ା, କେନ୍ଦୁଝର ଏବଂ ରାଜଗାଙ୍ଗପୁର ସମେତ ବିଭିନ୍ନ ଜାତୀୟ ତଥା ରାଜ୍ୟ ରାଜପଥରେ ୨୯୦ଟି ନୂତନ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ବିଶେଷ ଭାବରେ, ଏହି ପ୍ରସ୍ତାବିତ ୨୯୦ଟି ସ୍ଥାନ ମଧ୍ୟରେ ପର୍ଯ୍ୟଟନ ବିଭାଗର ୬୮ଟି ‘ୱେସାଇଡ୍ ଆମେନିଟି ସେଣ୍ଟର’ ଏବଂ ସର୍ବାଧିକ ଅର୍ଥନୈତିକ ପ୍ରାଥମିକତା ଥିବା ପାରାଦୀପ-ବଡ଼ବିଲ୍ କରିଡର ସମେତ ବିଭିନ୍ନ ରାଜପଥର ପ୍ରମୁଖ ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି କେନ୍ଦ୍ରୀୟ ପ୍ରକଳ୍ପର ସଫଳ ରୂପାୟନ ପାଇଁ ‘ଭାରତ ହେଭି ଇଲେକ୍ଟ୍ରିକ୍ସ ଲିମିଟେଡ୍’ (ଭେଲ୍) କୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି ଭାବରେ ନିୟୋଜିତ କରାଯାଇଛି। ପ୍ରସ୍ତାବିତ ଚାର୍ଜିଂ ଷ୍ଟେସନଗୁଡ଼ିକର ଚୂଡ଼ାନ୍ତ ମଞ୍ଜୁରୀ ପୂର୍ବରୁ ଭେଲ୍ ର ଜେନେରାଲ ମ୍ୟାନେଜର ଜେ.କେ. ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଏହି ସ୍ଥାନଗୁଡ଼ିକର ବ୍ୟବହାରିକ କାର୍ଯ୍ୟକ୍ଷମତା ଯାଞ୍ଚ ପାଇଁ କ୍ଷେତ୍ର ସର୍ଭେ କରିବେ। କେନ୍ଦ୍ରୀୟ ଯୋଜନା ବ୍ୟତୀତ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିଜସ୍ୱ ପଦକ୍ଷେପରେ ୫୦୦ରୁ ଅଧିକ ଅତିରିକ୍ତ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରୁଛି। ଏଥିମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ୱରରେ ୨୪ଟି ଚାର୍ଜିଂ ଷ୍ଟେସନ ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଛି। ଇଭି ବ୍ୟବହାରକାରୀଙ୍କ ନିରବଚ୍ଛିନ୍ନ ସୁବିଧା ନିମନ୍ତେ ସରକାର ରାଜ୍ୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଅଟଳ ବସ୍ ଟର୍ମିନାଲ ଏବଂ ଟ୍ରକ୍ ଟର୍ମିନାଲଗୁଡ଼ିକରେ ଏହି ଚାର୍ଜିଂ ପଏଣ୍ଟ ନିର୍ମାଣ କରୁଛନ୍ତି। ଏହି ସମନ୍ୱିତ ଭିତ୍ତିଭୂମି ସମ୍ପ୍ରସାରଣ ଇଭି ଯାନ ଚାଳକଙ୍କ ଚାର୍ଜ ଜନିତ ଚିନ୍ତାକୁ ଦୂର କରି ଏବଂ ଏକ ନିରନ୍ତର ସବୁଜ ପରିବହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ। ଏହାସହ ‘ଇଲେକ୍ଟ୍ରିକ୍ ଯାନ ନୀତି’ ଅଧୀନରେ ବୈଦ୍ୟୁତିକ ଯାନ କ୍ରୟକୁ ଉତ୍ସାହିତ କରିବା ପାଇଁ ଗ୍ରାହକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ (ସବ୍‌ସିଡି) ପ୍ରଦାନ କରାଯାଉଛି।

Also Read

Tags