ବ୍ରହ୍ମପୁର: ପରିବାରରେ ଦୁଃଖଦ ପରିସ୍ଥିତି ତଥା ମୃତ୍ୟୁଜନିତ ଜରୁରୀକାଳୀନ ପରିସ୍ଥିତିରେ ହୋଟେଲ ବୁକିଂ ବାତିଲ କଲେ ଟଙ୍କା ଫେରସ୍ତ ନକରିବା ଅନଲାଇନ୍ ପ୍ଲାଟଫର୍ମ ମେକ୍ମାଇଟ୍ରିପ୍ (MakeMyTrip) ପାଇଁ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଅନଲାଇନ୍ ଟ୍ରାଭେଲ ଆଗ୍ରିଗେଟର୍ ‘ମେକ୍ମାଇଟ୍ରିପ୍’କୁ ଖାଉଟିଙ୍କୁ ଅର୍ଥ ଏବଂ କ୍ଷତିପୂର୍ଣ୍ଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ପୃଷ୍ଠଭୂମି:ବ୍ରହ୍ମପୁର ଗଜପତି ନଗରର ୭୫ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏସ ଏନ ପଣ୍ଡା ୨୦୧୯ ନଭେମ୍ବର ୧୫ ତାରିଖରେ ‘ମେକ୍ମାଇଟ୍ରିପ୍’ ଜରିଆରେ ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ‘ବୃନ୍ଦାଧାମ ଗେଷ୍ଟ ହାଉସ୍’ରେ ତିନି ଦିନିଆ ରହଣି ପାଇଁ ମୋଟ ୨,୫୧୬ ଟଙ୍କା ଦେଇ ଅଗ୍ରୀମ ବୁକିଂ କରିଥିଲେ। ତେବେ ୨୦୨୦ ଜାନୁଆରୀ ୬ ତାରିଖରେ ତାଙ୍କର ୮୫ ବର୍ଷୀୟା ବଡ଼ ଭଉଣୀ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିବାରୁ ସେ ଯାତ୍ରା ତାରିଖକୁ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ଖାଲି ନାହିଁ କହି ଏହାକୁ ଅଗ୍ରାହ୍ୟ କରିଥିଲେ ଏବଂ ଦୁର୍ଭାଗ୍ୟବଶତଃ ଜାନୁଆରୀ ୮ ତାରିଖରେ ତାଙ୍କ ଭଉଣୀଙ୍କର ପରଲୋକ ହୋଇଥିଲା। ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ସେ ଚେକ୍-ଇନ୍ ତାରିଖର ପ୍ରାୟ ୧୩ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୭ ତାରିଖରେ ବୁକିଂ ବାତିଲ କରିଥିଲେ। ମାତ୍ର ‘୧୦୦% କାନ୍ସେଲେସନ ପେନାଲ୍ଟି’ ନୀତି ଦର୍ଶାଇ ମେକ୍ମାଇଟ୍ରିପ୍ ସମସ୍ତ ଟଙ୍କା ଜବତ କରି ନେଇଥିଲା ଏବଂ କୌଣସି ଟଙ୍କା ଫେରସ୍ତ କରି ନଥିଲା। ଆୟୋଗଙ୍କ ନିର୍ଦ୍ଦେଶ ଓ ମତ:ଗଞ୍ଜାମ ଜିଲ୍ଲା ଖାଉଟି ଆୟୋଗର ପ୍ରଭାରୀ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକ ଏହି ମାମଲାର ବିଚାର କରି ଏହାକୁ ସେବା ଅବହେଳା ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା (Unfair Trade Practice) ବୋଲି ଦର୍ଶାଇଛନ୍ତି। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ପରିବାରରେ ଏପରି ଗୁରୁତର ଦୁର୍ଘଟଣା ବା ମୃତ୍ୟୁଜନିତ ଜରୁରୀ ପରିସ୍ଥିତିରେ ଏଭଳି ଏକପାଖିଆ ଏବଂ କଠୋର ‘ନନ୍-ରିଫଣ୍ଡେବଲ୍’ ନୀତି ଗ୍ରହଣ କରାଯାଇପାରିବ ନାହିଁ। ଆୟୋଗ ମେକ୍ମାଇଟ୍ରିପ୍ (MakeMyTrip (India) Pvt. Ltd.) ବିରୋଧରେ ରାୟ ଦେଇ ନିମ୍ନଲିଖିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି: ଟଙ୍କା ଫେରସ୍ତ: ବୁକିଂ ବାବଦକୁ ଦେଇଥିବା ସମୁଦାୟ ୨,୫୧୬ ଟଙ୍କା ଉପରେ ବାତିଲ ହୋଇଥିବା ଦିନ (୦୭.୦୧.2020)ଠାରୁ ବାସ୍ତବ ପ୍ରଦାନ ପର୍ଯ୍ୟନ୍ତ ବାର୍ଷିକ ୯% ସୁଧ ହାରରେ ଫେରସ୍ତ କରିବାକୁ କୁହାଯାଇଛି। ମାନସିକ ଯନ୍ତ୍ରଣା ପାଇଁ କ୍ଷତିପୂର୍ଣ୍ଣ ରାଶି: ବୟସ୍କ ଖାଉଟିଙ୍କୁ ହଇରାଣ ଏବଂ ମାନସିକ ଯନ୍ତ୍ରଣା ଦେଇଥିବାରୁ କ୍ଷତିପୂର୍ଣ୍ଣ ବାବଦକୁ ୫,୦୦୦ ଟଙ୍କା ପ୍ରଦାନ କରିବେ। ମୋକଦ୍ଦମା ଖର୍ଚ୍ଚ: ମାମଲା ପରିଚାଳନା ନିମନ୍ତେ ଆଇନଗତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୨,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ଏହି ରାୟ ପାଇଥିବା ଦିନଠାରୁ ୪୫ ଦିନ ଭିତରେ ସମସ୍ତ ଅର୍ଥ ଖାଉଟିଙ୍କୁ ପୈଠ କରିବାକୁ ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅର୍ଥ ପ୍ରଦାନ ନ କଲେ ମାମଲା ଦାଖଲ ଦିନଠାରୁ ବାର୍ଷିକ ୧୨% ପେନାଲ୍ ସୁଧ ଆଦାୟ କରାଯିବ ବୋଲି ଆୟୋଗ ସତର୍କ କରାଇଛନ୍ତି।




