ବୁଢ଼ାରଜା ଜଙ୍ଗଲରେ ପୁଣି ଗୁଞ୍ଜିବ ଘରଚଟିଆର କିଚିରିମିଚିରି

Pradeep Kar

ସମ୍ବଲପୁର, କେବେ ସକାଳର ପ୍ରଥମ ଡାକରେ ଘର ଅଗଣା ଜାଗୁଥିଲା। ଛାତର କୋଣ, କାନ୍ଥର ଫାଙ୍କ କିମ୍ବା ଦୁଆର ଉପରେ ଛୋଟିଆ ବସାଟିଏ କରି ଘରଚଟିଆ ଯେମିତି ମଣିଷର ଘରର ଜଣେ ସଦସ୍ୟ ପାଲଟିଯାଇଥିଲା। କିନ୍ତୁ କଂକ୍ରିଟ୍‌ର ଜଙ୍ଗଲ ବଢ଼ିବା ସହ ମଣିଷର ଜୀବନରୁ ଧୀରେଧୀରେ ଦୂରେଇ ଯାଉଛି ସେହି ପରିଚିତ କିଚିରିମିଚିରି। ଏମିତି ଏକ ସମୟରେ ହଜିଯାଉଥିବା ଘରଚଟିଆଙ୍କ ପାଇଁ ଘର ତିଆରି କରିବାର ଅଭିଯାନ ଆରମ୍ଭ କରିଛନ୍ତି ସମ୍ବଲପୁରର ଯୁବକ ସୁବ୍ରତ ନାଥ। ପେଶାରେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟର ସୁବ୍ରତଙ୍କ ନିଶା ହେଉଛି ପ୍ରକୃତି ଓ ପକ୍ଷୀ ସୁରକ୍ଷା। ଗତ ୩ରୁ ୪ ବର୍ଷ ଧରି ସେ ଘରଚଟିଆଙ୍କ ସଂରକ୍ଷଣ ପାଇଁ ବ୍ୟକ୍ତିଗତ ଭାବେ କାମ କରିଆସୁଛନ୍ତି। ନିଜ ଘର, ବାଲକୋନି ଓ ଆଖପାଖ ଅଞ୍ଚଳରେ ମାଟି ହାଣ୍ଡିରେ ତିଆରି ସୁରକ୍ଷିତ ନୀଡ଼, କାଠ ବାକ୍ସ ଓ ଧାନ କେଣ୍ଡା ରଖି ସେ ଘରଚଟିଆଙ୍କ ପାଇଁ ନିରାପଦ ଆଶ୍ରୟ ସୃଷ୍ଟି କରିଛନ୍ତି। ଘରୁ ଆରମ୍ଭ, ଏବେ ବୁଢ଼ାରଜା ପାହାଡ଼ରେସୁବ୍ରତଙ୍କ ଉଦ୍ୟମ ଏବେ ନିଜ ଘରର ସୀମା ଡେଇଁ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ପହଞ୍ଚିଛି। ସମ୍ବଲପୁର ସହରର ହୃଦୟସ୍ଥଳରେ ଥିବା ଏହି ସବୁଜ ପରିସରରେ ସୁବ୍ରତଙ୍କ ସହ କିଛି ପ୍ରକୃତିପ୍ରେମୀ ଯୁବକ ମିଶି ଗଛର ସୁରକ୍ଷିତ ସ୍ଥାନରେ ଘରଚଟିଆଙ୍କ ପାଇଁ ନୀଡ଼ ସ୍ଥାପନ ଆରମ୍ଭ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୫ରୁ ଊର୍ଦ୍ଧ୍ୱ ନୀଡ଼ ସ୍ଥାପନ କରାଯାଇଛି। ଆଗକୁ ଆହୁରି ନୀଡ଼ ଲଗାଇବା ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ଅଭିଯାନକୁ ପହଞ୍ଚାଇବାର ଲକ୍ଷ୍ୟ ରହିଛି।ସୁବ୍ରତ କହିଛନ୍ତି, “ଗତ ୩ରୁ ୪ ବର୍ଷ ହେଲା ଘରଚଟିଆଙ୍କ ସୁରକ୍ଷା ପାଇଁ କାମ କରୁଛି। ନିଜ ଘର ଓ ଆଖପାଖରେ ନୀଡ଼ ବସାଇବା ପରେ ଘରଚଟିଆଙ୍କ ସଂଖ୍ୟା ବଢ଼ୁଥିବା ଦେଖିଛି। ପୂର୍ବରୁ ଯେଉଁଠି ଦୁଇ ତିନୋଟି ପକ୍ଷୀ ଦେଖାଯାଉଥିଲେ, ସେଠାରେ ଏବେ ବହୁ ସଂଖ୍ୟାରେ ଘରଚଟିଆ ଦେଖାଯାଉଛନ୍ତି। ସେହି ଅନୁଭବରୁ ବୁଢ଼ାରଜା ପାହାଡ଼ରେ ଏହି ଉଦ୍ୟମ ଆରମ୍ଭ କରିଛୁ।”କେବଳ ନୀଡ଼ ନୁହେଁ, ପାଣି ଓ ଦାନାର ବ୍ୟବସ୍ଥାଘରଚଟିଆଙ୍କ ପାଇଁ କେବଳ ନୀଡ଼ ତିଆରି କରିଦେବାରେ ସୁବ୍ରତଙ୍କ ଉଦ୍ୟମ ସୀମିତ ନୁହେଁ। ନିଜ ଘରେ ସେ ପକ୍ଷୀଙ୍କ ପାଇଁ ନିୟମିତ ପାଣି ଓ ଶସ୍ୟଦାନାର ବ୍ୟବସ୍ଥା କରୁଛନ୍ତି। ନିଜେ ନୀଡ଼ ପ୍ରସ୍ତୁତ କରି ପ୍ରକୃତିପ୍ରେମୀ ଲୋକଙ୍କୁ ମାଗଣାରେ ବଣ୍ଟନ କରିବା ସହ ଘରଚଟିଆଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ, ସେନେଇ ମଧ୍ୟ ସଚେତନ କରୁଛନ୍ତି।ସହରୀକରଣ, ନୂଆ ନିର୍ମାଣରେ ନୀଡ଼ ପାଇଁ ସ୍ଥାନର ଅଭାବ ଓ କୀଟନାଶକର ବ୍ୟବହାର ଭଳି କାରଣରୁ ଘରଚଟିଆଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟର ସୁଯୋଗ କମୁଥିବା ନେଇ ପକ୍ଷୀପ୍ରେମୀମାନେ ଚିନ୍ତା ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିତିରେ ଛୋଟ ଛୋଟ ନୀଡ଼ ଓ ପାଣିପାତ୍ର ମଧ୍ୟ ପକ୍ଷୀଙ୍କ ପାଇଁ ଏକ ବଡ଼ ଆଶ୍ରୟ ହୋଇପାରେ ବୋଲି ଏହି ଅଭିଯାନର ଉଦ୍ୟୋକ୍ତାମାନେ କହିଛନ୍ତି।ସୁବ୍ରତଙ୍କ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ିଏହି ଅଭିଯାନରେ ଏବେ ସ୍ଥାନୀୟ ଯୁବପିଢ଼ି ମଧ୍ୟ ସାମିଲ ହେଉଛନ୍ତି। କ୍ଷେତରାଜପୁର ଅଞ୍ଚଳର ଯୁବକ ରାଜେନ୍ଦ୍ର ସତନାମୀ ପ୍ରଥମ ପର୍ଯ୍ୟାୟରେ ନୀଡ଼ ସ୍ଥାପନରେ ସହଯୋଗ କରିଛନ୍ତି।ସେ କହିଛନ୍ତି, “ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ଯୋଗାଇଦେବା ଆମର ମୂଳ ଉଦ୍ଦେଶ୍ୟ। ପ୍ରଥମ ପର୍ଯ୍ୟାୟରେ ୨୫ରୁ ଊର୍ଦ୍ଧ୍ୱ ନୀଡ଼ ଲଗାଇଛୁ। ଆଗକୁ ଆହୁରି ନୀଡ଼ ସ୍ଥାପନ କରିବୁ।”ସମ୍ବଲପୁରରେ ପାଠ ପଢ଼ୁଥିବା ଦେବଗଡ଼ ଜିଲ୍ଲାର ଛାତ୍ର ତନ୍ମୟ କୁମାର ବାରିକ ମଧ୍ୟ ଏହି ଉଦ୍ୟମରେ ଯୋଡ଼ି ହୋଇଛନ୍ତି। ତାଙ୍କ ମତରେ, ମଣିଷର ଉନ୍ନତି ସହ ପଶୁପକ୍ଷୀ ଓ ପ୍ରକୃତି ପ୍ରତି ଦାୟିତ୍ୱ ମଧ୍ୟ ରହିଛି। ଗ୍ରୀଷ୍ମରେ ପାଣି ଅଭାବ ଏବଂ ବର୍ଷାରେ ନୀଡ଼ ନଷ୍ଟ ହେବା ଭଳି ସମସ୍ୟାରୁ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ପ୍ରୟାସ କରାଯାଉଥିବା ସେ କହିଛନ୍ତି। ଗୋଟିଏ ନୀଡ଼, ଗୋଟିଏ ଆଶାଏହି ଉଦ୍ୟମର ଆକାର ବୋଧହୁଏ ଛୋଟ। ଗଛର ଡାଳରେ ଝୁଲୁଥିବା ଗୋଟିଏ ମାଟି ନୀଡ଼ କିମ୍ବା କାଠର ଛୋଟ ବାକ୍ସ ଦୂରରୁ ଦେଖିଲେ ହୁଏତ ଏକ ସାଧାରଣ ଜିନିଷ ଭଳି ଲାଗିପାରେ। କିନ୍ତୁ ସେହି ଛୋଟ ନୀଡ଼ଟି ଗୋଟିଏ ପକ୍ଷୀ ପାଇଁ ଘର, ଗୋଟିଏ ଛୋଟ ଶାବକ ପାଇଁ ଜୀବନର ପ୍ରଥମ ଆଶ୍ରୟ। ସ୍ୱେଚ୍ଛାସେବୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଏହି ଯୁବକମାନଙ୍କ ଉଦ୍ୟମକୁ ସ୍ୱାଗତ କରିବା ସହ ଏହା ଲୋକଙ୍କ ମଧ୍ୟରେ ପକ୍ଷୀ ଓ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବ ବୋଲି କହିଛନ୍ତି। ବୁଢ଼ାରଜା ପାହାଡ଼ର ଗଛଗୁଡ଼ିକରେ ଏବେ ଯେଉଁ ନୀଡ଼ଗୁଡ଼ିକ ବନ୍ଧାଯାଉଛି, ସେଗୁଡ଼ିକ କେବଳ ଘରଚଟିଆ ପାଇଁ ଆଶ୍ରୟ ନୁହେଁ; ସହରର ମଣିଷ ଓ ପ୍ରକୃତି ମଧ୍ୟରେ ହଜିଯାଉଥିବା ଏକ ସମ୍ପର୍କକୁ ପୁଣି ଯୋଡ଼ିବାର ଛୋଟ ପ୍ରୟାସ। ହୁଏତ ଆସନ୍ତା ଦିନରେ ବୁଢ଼ାରଜାର ସବୁଜ ଗଛପତ୍ର ଭିତରୁ ପୁଣି ଶୁଣାଯିବ ସେହି ପୁରୁଣା ପରିଚିତ ଶବ୍ଦ କିଚିରିମିଚିରି।

Also Read

Tags