ବାତ୍ୟା କ୍ଷତିପୂରଣ ଅପର୍ଯ୍ୟାପ୍ତ : ଘର ପିଛା ୫ ଲକ୍ଷ ଟଙ୍କା ଦାବି I ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପାଣ୍ଠି ଘୋଷଣା କରାଯାଉ: ମାନବ ଅଧିକାର ସୁରକ୍ଷା ମଞ୍ଚ

Pradeep Kar

ବ୍ରହ୍ମପୁର, ତାରିଖ : ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ଓ ଅବିରତ ବର୍ଷା ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା କ୍ଷତିପୂରଣ ସହାୟତା ରାଶି ଅତ୍ୟନ୍ତ ଅପର୍ଯ୍ୟାପ୍ତ ବୋଲି ସ୍ଥାନୀୟ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ସମାଲୋଚନା କରିଛି। ସରକାରଙ୍କ ଘୋଷଣା ଅନୁଯାୟୀ, ସମ୍ପୂର୍ଣ୍ଣ ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧,୨୦,୦୦୦ ଟଙ୍କା ଓ ପାର୍ବତ୍ୟ ଅଞ୍ଚଳରେ ୧,୩୦,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଛି। ଏହି ସହାୟତା ରାଶି କ୍ଷତିଗ୍ରସ୍ତ ଲୋକଙ୍କ ପ୍ରକୃତ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ମଞ୍ଚ ଅଭିହିତ କରିଛି। ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ମଞ୍ଚ ଅଭିଯୋଗ କରିଛି। ବିଶେଷକରି ବିଭିନ୍ନ ଜଳଭଣ୍ଡାରରୁ ଜଳ ନିଷ୍କାସନରେ ଗୁରୁତର ଅବ୍ୟବସ୍ଥା ଓ ସମନ୍ୱୟର ଅଭାବ ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ପୂର୍ବ ସୂଚନା ସତ୍ତ୍ୱେ ଆଗୁଆ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନାରେ ବିଫଳତା ସହିତ ଜନସାଧାରଣଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରିବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିବା କ’ଣ ପ୍ରକୃତ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ବିକଳ୍ପ? ସରକାର କେବଳ ଆକାଶମାର୍ଗରୁ ବନ୍ୟା ଦେଖିଲେ ନା ତଳେ ଥିବା ଲୋକଙ୍କ ଦୁର୍ଦ୍ଦଶାକୁ ଅନୁଭବ କଲେ ବୋଲି ମଞ୍ଚ ପ୍ରଶ୍ନ କରିଛି।ବନ୍ୟା ଓ ବର୍ଷା ଯୋଗୁଁ ଲୋକଙ୍କ ଧନଜୀବନ, ଗୃହପାଳିତ ପଶୁସମ୍ପଦ, ଚାଷଜମିରେ ଥିବା ଧାନ ଓ ପନିପରିବା ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଅନେକ ଅଞ୍ଚଳରେ ପାନୀୟ ଜଳ ଓ ଖାଦ୍ୟ ପାଇଁ ଲୋକେ ହାହାକାର ହେଉଥିବା ବେଳେ ସରକାରଙ୍କ ଏହି ନାମମାତ୍ର ସହାୟତା ଘୋଷଣା କେବଳ ଲୋକଦେଖାଣିଆ ବୋଲି ମଞ୍ଚ ମତ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଉପସ୍ଥାପିତ ଦାବୀ ମଧ୍ୟରେ ବାତ୍ୟା ଓ ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଣ୍ଠି ଘୋଷଣା କରାଯାଉ l ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଘର ପାଇଁ ସର୍ବନିମ୍ନ ୫,୦୦,୦୦୦ ଟଙ୍କା ସହାୟତା ଦିଆଯାଉ, କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ସର୍ବନିମ୍ନ ୩,୦୦,୦୦୦ ଟଙ୍କା ଓ କଚ୍ଚା ଘର ପାଇଁ ୨,୦୦,୦୦୦ ଟଙ୍କା ସହାୟତା ଦିଆଯାଉ। କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ସର୍ବନିମ୍ନ ୧,୦୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉ ଓ କ୍ଷତିଗ୍ରସ୍ତ ଚାଷୀ, କୃଷି ଶ୍ରମିକ ଓ ଗୃହପାଳିତ ପଶୁସମ୍ପଦ ହରାଇଥିବା ପରିବାରଙ୍କୁ ଯଥୋଚିତ କ୍ଷତିପୂରଣ ସହ ତୁରନ୍ତ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ମଞ୍ଚ ଦାବୀ କରିଛି l ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ମନୋଜ କୁମାର ତରାଇ, ଗଗନ ଚାନ୍ଦ ପ୍ରଧାନ,ଶିକ୍ଷକ ସଂଗଠନ ନେତା ଅଶୋକ କୁମାର ଦଳାଇ, ସମ୍ପାଦକ ଗୁଣନିଧି ବେହେରା,ଆର୍. ସତ୍ୟ ନାରାୟଣ ରାଓ, ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା ,ହୃଷୀକେଶ ପାତ୍ର ପ୍ରମୁଖ ଏକ ପ୍ରେସ୍ ବାର୍ତ୍ତାରେ ଜନସାଧାରଣଙ୍କ ଏହି ନ୍ୟାଯ୍ୟ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।

Also Read

Tags