ଆସ୍କା / ଛତ୍ରପୁର / ବ୍ରହ୍ମପୁର ୦୩/୧୧: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବାର ପୁନରୁଦ୍ଧାର, ଚିକିତ୍ସାଳୟଗୁଡ଼ିକର ଭିତ୍ତିଭୂମି ଏବଂ ବନ୍ୟାଞ୍ଚଳରେ ଲୋକଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଣ ଉପରେ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ମନ୍ତ୍ରୀ ଛତ୍ରପୁର, ଆସ୍କା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ଏବଂ ଲୋକଙ୍କ ନିକଟରେ ଆବଶ୍ୟକ ସେବା ପହଞ୍ଚାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଆସ୍କା ଉପଖଣ୍ଡ ଚିକିତ୍ସାଳୟଠାରୁ ପ୍ରାୟ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ର ଶୁଭାରମ୍ଭ କରାଯାଇଥିଲା। ଏଥିମଧ୍ୟରୁ ୧୫ଟି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ବେଳେ ବିକାଶ, ମହାନଦୀ ନେତ୍ରାଳୟ, ହାଇଟେକ୍, ସମ୍ ଓ ଆପୋଲୋ ଭଳି ଘରୋଇ ଚିକିତ୍ସାନୁଷ୍ଠାନ ପକ୍ଷରୁ ପ୍ରାୟ ୫ଟି ୟୁନିଟ୍ ଯୋଗାଇ ଦିଆଯାଇଛି। ଏହି ମୋବାଇଲ୍ ୟୁନିଟ୍ଗୁଡ଼ିକ ବନ୍ୟା ପ୍ରଭାବିତ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କୁ ଚିକିତ୍ସା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବେ। ଦୁର୍ଗମ ଓ ପ୍ରଭାବିତ ଅଞ୍ଚଳରେ କୌଣସି ବ୍ୟକ୍ତି ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହାପରେ ମନ୍ତ୍ରୀ ଛତ୍ରପୁରଠାରେ କୋଭିଡ୍ ମହାମାରୀ ସମୟରେ ନିର୍ମିତ ଅସ୍ଥାୟୀ ହସ୍ପିଟାଲ ପରିଦର୍ଶନ କରି ଏହାର ବର୍ତ୍ତମାନର ସ୍ଥିତି ଓ ଉପଲବ୍ଧ ଭିତ୍ତିଭୂମି ଯାଞ୍ଚ କରିଥିଲେ। ଭବିଷ୍ୟତରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ପୁନର୍ବାର ହସ୍ପିଟାଲ ଭାବେ ବ୍ୟବହାର କରିବା ପାଇଁ ଆବଶ୍ୟକ ମରାମତି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।ଜିଲ୍ଲାର ବରଙ୍ଗ ଅଞ୍ଚଳ ପରିଦର୍ଶନ କରି ମନ୍ତ୍ରୀ ବନ୍ୟାର ପ୍ରଭାବ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ। ପରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀସେବା, ଚିକିତ୍ସା ସୁବିଧା ଓ ଆବଶ୍ୟକୀୟ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଏକ ଡିଜି ସେଟ୍ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜଣେ ନବଜାତ ଶିଶୁକୁ ବେବି କିଟ୍ ପ୍ରଦାନ କରିବା ସହ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ମନ୍ତ୍ରୀ ୟୁ.ଡି.ଏସ୍.ପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏଠାରେ ରୋଗୀମାନଙ୍କୁ ମିଳୁଥିବା ଚିକିତ୍ସା ସୁବିଧା, ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଓ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସାଧୀନ ରୋଗୀଙ୍କ ସହ ଆଲୋଚନା କରିଥିଲେ। ନବଜାତ ଶିଶୁମାନଙ୍କୁ ବେବି କିଟ୍ ପ୍ରଦାନ କରିବା ସହ ସମସ୍ତଙ୍କୁ ଉନ୍ନତମାନର ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆସ୍କାସ୍ଥିତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଲୋକଙ୍କ ଚିକିତ୍ସା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ ମନ୍ତ୍ରୀ। ସେଠାରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା, ଆବଶ୍ୟକୀୟ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିବା ସହ ରୋଗୀମାନଙ୍କୁ ବିଳମ୍ବ ନକରି ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବନ୍ୟା ପରେ ଆସ୍କା ଉପଖଣ୍ଡ ଚିକିତ୍ସାଳୟର ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟରେ ନିଃସ୍ୱାର୍ଥପର ଭାବେ ସହଯୋଗ କରିଥିବା ସ୍ଥାନୀୟ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସମାଜସେବୀମାନଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ। ବିପଦ ସମୟରେ ନିଜର ସ୍ୱାର୍ଥକୁ ପଛରେ ପକାଇ ସମାଜର ହିତ ପାଇଁ ସେମାନେ ଯେଉଁ ସେବା ଓ ସହଯୋଗ ଯୋଗାଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସ୍କା ବିଧାୟକ ସରୋଜ ପାଢ଼ୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ମହେଶ ମୋହନ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବ୍ରହ୍ମପୁର ସିଡିଏମ୍ଓ ଡ. କାମେଶ୍ୱର ରାଓ, ଅତିରିକ୍ତ ନିର୍ଦ୍ଦେଶକ ଡ. ସୁଭାଶିଷ ମହାନ୍ତିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବାର ପୁନରୁଦ୍ଧାର ଓ ଭିତ୍ତିଭୂମିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ





