ସାହିତ୍ୟ ଏକାଡେମୀ ଓ ଓଡ଼ିଆ ବିଭାଗ ପକ୍ଷରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଆଲୋଚନା ଚକ୍ର

Pradeep Kar

ବ୍ରହ୍ମପୁର, ୨୮l0୭ : ଶବ୍ଦମାନଙ୍କର ଶକ୍ତି ଅସୀମ l ଜାତି ନିର୍ମାଣରେ ଶବ୍ଦ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ l ଶବ୍ଦମାନଙ୍କୁ ସମୁଚିତ ଅର୍ଥ ସହିତ କୋଷଗ୍ରନ୍ଥ କାଳ କାଳ ସାଇତି ରଖେ l ଓଡ଼ିଆ ଭାଷାରେ ମଧ୍ୟ ଶତାଧିକ କୋଷଗ୍ରନ୍ଥ ପ୍ରଣୀତ ହୋଇଛି l ମାତ୍ର ଭାରତୀୟ ଜ୍ଞାନ ପରମ୍ପରାର ପୁନଃ ପ୍ରତିଷ୍ଠା ପରିପ୍ରେକ୍ଷୀରେ ବିବିଧ ବିଷୟଭିତ୍ତିକ କୋଷଗ୍ରନ୍ଥ ପ୍ରଣୟନ କରାଗଲେ ଆମ ଭାଷାକ୍ଷେତ୍ର ଆହୁରି ଅଧିକ ଭାବେ ଆଲୋକିତ ହେବ ବୋଲି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଅସୀମା ସାହୁ ପ୍ରକାଶ କରିଛନ୍ତି l ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ନୂତନ ସମ୍ମେଳନ କକ୍ଷରେ ଆୟୋଜିତ ‘ଓଡ଼ିଆ କୋଷଗ୍ରନ୍ଥର ପରମ୍ପରା’ ଶୀର୍ଷକ ଏକଦିବସୀୟ ଆଲୋଚନାକୁ ଉଦ୍ଘାଟନ କରି କୁଳପତି ପ୍ରଫେସର୍ ସାହୁ ଏହି ମର୍ମରେ ଅଭିଭାଷଣ ପ୍ରଦାନ କରିଥିଲେ l ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟା ଡ. ଉଷାରାଣୀ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଭାଷାବିତ୍ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟଅତିଥି ରୂପେ ଯୋଗଦେଇ ଭାଷାର ମୌଳିକ ଧର୍ମ, ଶବ୍ଦର ଅର୍ଥାବବୋଧ ଶକ୍ତି, ଅଭିଧାନ ଓ କୋଷଗ୍ରନ୍ଥ ସଂକଳନ ପଦ୍ଧତି ସଂପର୍କରେ ସବିଶେଷ ଆଲୋଚନା କରିଥିଲେ l ବିଶିଷ୍ଟ ଗବେଷକ ଡ. ଗୌରାଙ୍ଗ ଚରଣ ଦାଶ କୋଷଗ୍ରନ୍ଥ ପ୍ରଣୟନର ବୈଜ୍ଞାନିକ ପଦ୍ଧତି, ଅର୍ଥାବବୋଧ, ଶବ୍ଦବ୍ରହ୍ମଙ୍କ ବହୁମୁଖୀ ଉପଯୋଗିତା ସଂପର୍କରେ ଚର୍ଚ୍ଚା କରିଥିଲେ l କେନ୍ଦ୍ର ସାହିତ୍ୟ ଅକାଦମି ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ମାନସଂପନ୍ନ କୋଷଗ୍ରନ୍ଥ ଓ ଅଭିଧାନ ପ୍ରଣୟନ କ୍ଷେତ୍ରରେ ଯେଉଁ ବାଧକଗୁଡ଼ିକ ରହିଛି, ସେ ନେଇ କ୍ଷୋଭ ପ୍ରକାଶ କରିବା ସହ ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ଏକାଡେମୀ ଏ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ l ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର ଅନ୍ୟତମ ଆଲୋଚକ ରୂପେ ଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦମାନଙ୍କର ଅର୍ଥ ସହିତ ବ୍ୟାଖ୍ୟା କରିଥିଲେ l ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ କେନ୍ଦ୍ର ସାହିତ୍ୟ ଅକାଦମି ପୂର୍ବାଞ୍ଚଳ ଶାଖା ସହ-ସଂପାଦକ ଡ. କ୍ଷେତ୍ରବାସୀ ନାଏକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଡ. ମନୋରଞ୍ଜନ ବିଷୋୟୀ କାର୍ଯ୍ୟକ୍ରମର ସଂଯୋଜନା ଓ ସାହିତ୍ୟ ଏକାଡେମୀ ଉପ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ବୈଷୟିକ ଅଧିବେଶନରେ ‘ମିଶ୍ରଶାଳ’ର ପ୍ରତିଷ୍ଠାତା ସଂପାଦକ ଡ. ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ l ଡ. ପରମେଶ୍ୱର ମୁଣ୍ଡ, ଡ. କାହ୍ନୁଚରଣ ପାଢ଼ୀ, ଡ. ବିଜୟ ଉପାଧ୍ୟାୟ ଓ ଡ. ରବୀନ୍ଦ୍ର କୁମାର ପଣ୍ଡା ପ୍ରବନ୍ଧ ଉପସ୍ଥାପନ କରିଥିଲେ l ସେହିପରି ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ଦ୍ଵିତୀୟ ବୈଷୟିକ ଅଧିବେଶନରେ ପୌରୋହିତ୍ୟ କରିଥିଲେ l ଡ. ବନମାଳୀ ପାଣିଗ୍ରାହୀ ଡ. ସୁଶାନ୍ତ କୁମାର ପରିଡ଼ା, ଅଧ୍ୟାପିକା ସ୍ଵର୍ଣ୍ଣଲତା ବିଷୋୟୀ ଓ ଅଧ୍ୟାପକ ଶ୍ରୀମନ୍ତ ବେହେରା ନାନା ଦିଗରୁ ଓଡ଼ିଆ କୋଷଗ୍ରନ୍ଥଗୁଡ଼ିକର ଆଲୋଚନା କରିଥିଲେ l ଶେଷରେ ଡ. ମନୋରଞ୍ଜନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags