କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚିଚିଆ ଗ୍ରାମର ଅଦ୍ୱିକା କିଶୋରୀ ନେତ୍ରୀ ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ନିରୋଧ, ଡିଜିଟାଲ୍ ସୁରକ୍ଷା ଓ ସାଇବର ସଚେତନତାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। ସୁମିଙ୍କ ଏହି ଅସାଧାରଣ ସଫଳତା ଓ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାପାଳ, କଳାହାଣ୍ଡି ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫୧,୦୦୦/- ଟଙ୍କାର ପ୍ରୋତ୍ସାହନମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସୁମିଙ୍କ ବର୍ତ୍ତମାନର ଶିକ୍ଷାଗତ ସ୍ଥିତି, ପାଠପଢ଼ା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଆନ୍ତରିକତାର ସହ ପଚାରି ବୁଝିଥିଲେ। ଏଥିସହ ଭବିଷ୍ୟତରେ ମଧ୍ୟ ଏଭଳି ଉଦାହରଣୀୟ କାର୍ଯ୍ୟ ଜାରି ରଖିବା ସହ ନିଜ ଭଳି ଅନ୍ୟ କିଶୋରୀମାନଙ୍କୁ ସଚେତନ, ସଶକ୍ତ ଓ ସମାଜ ପରିବର୍ତ୍ତନର ଅଗ୍ରଦୂତ ଭାବେ ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ। ଏହି ସଫଳତା ପଛରେ ଅଦ୍ୱିକା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି କିଶୋରୀମାନଙ୍କ ମଧ୍ୟରେ ନେତୃତ୍ୱ, ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଦିଗରେ ଉଦାହରଣୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ଜିଲ୍ଲା ଓ ବ୍ଲକ ସଂଯୋଜଙ୍କୁ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି, ଆରକ୍ଷୀ ଅଧୀକ୍ଷକ, କଳାହାଣ୍ଡି ସୁମି ସତନାମୀଙ୍କୁ ସମ୍ମାନିତ କରିବା ସହ ସାଇବର ଅପରାଧ ନିରୋଧ, ବାଲ୍ୟବିବାହ ପ୍ରତିରୋଧ ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଦିଗରେ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଏବଂ ଅଦ୍ୱିକା ଗୋଷ୍ଠୀର ସାମୂହିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସୁମିଙ୍କ ନିଷ୍ଠା, ସାହସ ଓ ସାମାଜିକ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କୁ ୧୭,୫୦୦/- ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ମଧ୍ୟ ସୁମିଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ସାମାଜିକ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। କିଶୋରୀ ବାଳିକାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ଗଠନ ନିମନ୍ତେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିରନ୍ତର ଜାରି ରଖିବାକୁ ସେ ସୁମିଙ୍କୁ ପ୍ରୋତ୍ସାହିତ କରିଥିଲେ। ଏଥିସହ ଏଭଳି ଅଭିନବ ଓ ପ୍ରଭାବଶାଳୀ କାର୍ଯ୍ୟକ୍ରମକୁ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ସମ୍ପ୍ରସାରଣ କରିବା ନିମନ୍ତେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁମି ସତନାମୀଙ୍କ ସମେତ ଏଡ୍ ଏଟ୍ ଆକ୍ସନର ବ୍ଲକ ସଂଯୋଜିକା ଓ ଜିଲ୍ଲା ସଂଯୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାମାନଙ୍କ ସଶକ୍ତିକରଣ, ନେତୃତ୍ୱ ବିକାଶ, ଅଧିକାର ସଚେତନତା ଓ ସାମାଜିକ ପରିବର୍ତ୍ତନ ଦିଗରେ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ସହଯୋଗରେ ଚାଲିଥିବା ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମସ୍ତ ସମ୍ମାନ ଓ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସଦସ୍ୟବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ, ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଓ ବ୍ଲକ ସଂଯୋଜିକାଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ





