ବାରିପଦା ,୫/୧୧- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଗୋଟିଏ ସ୍ଥାନରୁ ବାରମ୍ବାର ଟ୍ରାନ୍ସଫର୍ମର ଚୋରି ହେବାକୁ ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ନୂଆଗାଁ ପଞ୍ଚାୟତର ଛୋଟରାୟପୁର ଗ୍ରାମର ଉପରସାହିରେ ଗତ ଅକ୍ଟୋବର ୨୭ ତାରିଖ ରାତିରେ ଏକ ୨୫କେଭି ଟ୍ରାନ୍ସଫର୍ମର ଚୋରି ହୋଇଥିଲା ଏବଂ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ବିଦ୍ୟୁତ ବିଭାଗ ତରଫରୁ ନଭେମ୍ବର ମାସ ୧ତାରିଖ ଏକ ନୂତନ ଟ୍ରାନ୍ସଫର୍ମର ବସିଥିଲା କିନ୍ତୁ ଉକ୍ତ ରାତିରେ ଏହି ନୂତନ ଟ୍ରାନ୍ସଫର୍ମର ପୁଣି ଚୋରି ହେବା ଫଳରେ ଉପରସାହି ଲୋକେ ଅନ୍ଧାରରେ ରାତି କାଟୁଥିଲେ। ଗତକାଲି ଅପରାହ୍ନ ୩ଟା ସମୟରେ ନିକଟସ୍ଥ ତଳସାହିରେ ଥିବା ୧୦୦କେଭି ଟ୍ରାନ୍ସଫର୍ମରୁ ଉପରସାହିକୁ ବିଦ୍ୟୁତ ସଂଯୋଗ ଦେବାକୁ ବିଦ୍ୟୁତ ବିଭାଗ ପହଁଞ୍ଚିଥିବା ବେଳେ ଭଲ୍ଟେଜ କମ ଏବଂ ଟ୍ରାନ୍ସଫର୍ମର ପୋଡି ଯିବାର ଆଶଙ୍କା କରି ଲୋକେ ସଂଯୋଗ ଦେବାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ସାହି ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ କନିଷ୍ଠ ଯନ୍ତ୍ରୀ ଜନ୍ମେଞ୍ଜୟ ଦାସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ରାତି ୩ଟା ସମୟରେ ସ୍ଥାନୀୟ ଏକ ପାଣିଟାଙ୍କି ପାଇଁ ବ୍ୟବହୃତ ହେଉଥିବା ୨୫କେଭି ଟ୍ରାନ୍ସଫର୍ମରରୁ ଉପରସାହିକୁ ଅସ୍ଥାୟୀ ଭାବେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଆସନ୍ତାକାଲି ସୁଦ୍ଧା ଉପରସାହିରେ ଏକ ନୂତନ ଟ୍ରାନ୍ସଫର୍ମର ପୁଣି ବସାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ଦାସ। ତେବେ ଅଞ୍ଚଳରେ ଏମିତି ବାରମ୍ବାର ଚୋରି ହେବା ଫଳରେ ଲୋକେ ଅନ୍ଧାରରେ ରହିବାକୁ ନେଇ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କୁ ପଚାରିବାରୁ ପୋଲିସ ପେଟ୍ରୋଲିଙ୍ଗ ଚାଲିଛି ଏବଂ ଥାନା ଅଞ୍ଚଳ ବଡ଼ ଏରିଆ ହୋଇଥିବାରୁ ପେଟ୍ରୋଲିଙ୍ଗ ଗାଡି ଅନ୍ୟ ସ୍ଥାନକୁ ମଧ୍ୟ ଯାଉଛି ଯାହାର ସୁଯୋଗ ଚୋରି ମାନେ ନେଉଛନ୍ତି। ବିଦ୍ୟୁତ ବିଭାଗ ତରଫରୁ ମଧ୍ୟ ପେଟ୍ରୋଲିଙ୍ଗ କରିବାର ନିୟମ ରହିଛି। ତେବେ ଯଥାଶୀଘ୍ର ଚୋର ମାନେ ଧରା ପଡିବେ ବୋଲି କହିଛନ୍ତି।




