ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣା-ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି-ପ୍ରତିନିଧି ଦଳ

Pradeep Kar

ବାରିପଦା, ୫।୧୧: ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ (କେଜିଭିବି) ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ଅତ୍ୟନ୍ତ ମର୍ମାହତ ଓ ଉଦ୍ବେଗଜନକ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି। ଏହି ଘଟଣାର ଗମ୍ଭୀରତାକୁ ନିନ୍ଦା କରିବା ପାଇଁ ଯେତେ କଠୋର ଶବ୍ଦ ପ୍ରୟୋଗ କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ ବୋଲି ଦଳ କହିଛି। ଏହି ଘଟଣା ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା, ନିରାପତ୍ତା ଓ କଲ୍ୟାଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ “ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନର ବାସ୍ତବତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ବାରମ୍ୱାର ହିଂସା, ନିର୍ଯାତନା ଓ ଚରମ ଅବହେଳାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ସ୍ଲୋଗାନର ମୂଲ୍ୟବୋଧ ଅର୍ଥହୀନ ହୋଇପଡ଼ିଛି ବୋଲି ଦଳ ମତବ୍ୟକ୍ତ କରିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାୟ ୭ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି । ଏହା ଆନୁଷ୍ଠାନିକ ତଦାରଖ, ନିରୀକ୍ଷଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଥିବାର ପ୍ରମାଣ ଦେଉଛି । ନବଜାତ ଶିଶୁଟିକୁ ଉପଯୁକ୍ତ ଯତ୍ନ, ଚିକିତ୍ସା ସେବା ଓ ଆବଶ୍ୟକ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କରାଯାଇଥିବା ନେଇ ଆସିଥିବା ଖବରକୁ ନେଇ ମଧ୍ୟ ଦଳ ଗଭୀର ଉଦବେଗ ପ୍ରକାଶ କରିଛି । ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ଏବଂ ଶିଶୁର ଅଧିକାର ଓ ମର୍ଯ୍ୟାଦାର ଏହି ଗୁରୁତର ଉଲ୍ଲଂଘନ ପାଇଁ କେଉଁମାନେ ଦାୟୀ, ତାହା ନିର୍ଦ୍ଧାରଣ କରିବାକୁ ବିଜେଡି ସମଗ୍ର ଘଟଣାର ତୁରନ୍ତ ନ୍ୟାୟିକ ତଦନ୍ତ ଦାବି କରିଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଛାତ୍ରୀ ଓ ତାଙ୍କ ନବଜାତ ଶିଶୁକୁ ପର୍ଯ୍ୟାପ୍ତ ଚିକିତ୍ସା ସେବା, ସୁରକ୍ଷା, ପରାମର୍ଶ ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବାକୁ ବିଜେଡି ଦାବି କରିଛି । ଠିକ୍ ସମୟରେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ଜାଣିବା ଓ ତାଙ୍କ ସୁରକ୍ଷା ତଥା ସୁସ୍ଥତା ନିଶ୍ଚିତ କରିବାରେ ବିଫଳ ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିବାକୁ ଦଳ ଦାବି କରିଛି । ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ସନ୍ତୋଷ ଜେନା, ଜ୍ୟୋତିକାନ୍ତ ସାମଲ, ସୁଶାନ୍ତ ବଳା, ରାଜୀବ ଲୋଚନ ସେନାପତି, ହରେନ୍ଦ୍ର ବେହେରା, ରାମନ୍ଦୁ ସୋରେନ, ଅନୁପମା ମହାନ୍ତ, ମନୀଷ ଗିରି ଓ ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ। ଧାନି କିସ୍କୁଙ୍କ ସହ ପରିଦର୍ଶନ କରିଥିଲେ । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଥିଲା । ଆସନ୍ତାକାଲି ସୁଦ୍ଧା ସରକାରଙ୍କ ପକ୍ଷରୁ ଠୋସ୍ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଗଲେ ବିଜେଡି ସରକାରଙ୍କ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି । ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଏକ ତଦନ୍ତକାରୀ ଦଳ ମଧ୍ୟ ଘଟଣାର ତଦନ୍ତ ଚଳାଇଛି।

Also Read

Tags