କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ଛାତ୍ରୀମାନେ ଫେରିବା ଆରମ୍ଭ : ପରିସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲେ ଅଭିଭାବକ

Pradeep Kar

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୧୭ ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଚାଳନା ପାଇଁ ଘୋର ଅନୁଦାନ ଯୋଗାଣରେ ଚରମ ଅବହେଳା ବେଳେ ଛାତ୍ରୀମାନଙ୍କୁ ଖାଦ୍ୟ ଯୋଗାଣ ସମସ୍ୟା ଦେଖାଦେଇଛି। ସେପରି କେତେକ କାରଣରୁ ଛାତ୍ରୀମାନେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ସେହି ବିଦ୍ୟାଳୟ ପରିଚାଳନାରେ ଯେଉଁ ଅସୁବିଧା ଉପୁଜିଛି ସେଥିରୁ ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯିବା ମସୁଧା ଚାଲିଥିବା ଆଶଙ୍କା ଲାଗିରହିଥିବା ବେଳେ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାଗିଦାରୀ ବ୍ୟବସ୍ଥାରେ ଅନୁଦାନ ଯୋଗାଇ ସେହି ବିଦ୍ୟାଳୟ କାର୍ଯ୍ୟକାରୀ କରାଯାଉଥିଲା। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ପରିଚାଳିତ ବିଦ୍ୟାଳୟ ଗୁଡିକର ଦୁର୍ଦ୍ଦିନ ବୃଦ୍ଧି ପାଇଥିବା ଉଦବେଗ ର କାରଣ ହୋଇଛି। ଗତ ଏପ୍ରିଲ ମାସ ଠାରୁ ବିଦ୍ୟାଳୟ ଗୁଡିକୁ ଆର୍ଥିକ ଅନୁଦାନ ବନ୍ଦ କରାଯାଇଛି। ଫଳରେ କର୍ମଚାରୀଙ୍କ ଦରମା, ଛାତ୍ରୀ ନିବାସରେ ରହୁଥିବା ଶିକ୍ଷାର୍ଥୀମାନଙ୍କୁ ଆଵଶ୍ୟକୀୟ ଖାଦ୍ୟପେୟ ଯୋଗାଣ ସମସ୍ୟା ଦ୍ବିଗୁଣିତ ହୋଇଯାଇଥିବା ବିଭିନ୍ନ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଛାତ୍ରୀ ନିବାସ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ବ୍ୟବସାୟୀ ବକେୟା ପାଉଣା ପାଇ ନ ଥିବାରୁ ଅତିଷ୍ଠ ହୋଇ ମୁହଁ ଫେରାଇଲେଣି। ଏପରି ଅବସ୍ଥାରେ ବିଦ୍ୟାଳୟ ପରିଚାଳନା କଷ୍ଟକର ବୋଲି କେତେକ କମିଟି ସଦସ୍ୟ ସୂଚନା ଦେଇଛନ୍ତି। ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡିଥିବା, ଆଦିବାସୀ,ହରିଜନ,ପଛୁଆବର୍ଗ ଓ ଅଭିଭାବକ ନ ଥିବା ବାଳିକମାନଙ୍କ ଶିକ୍ଷା ନିମନ୍ତେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଓ ଛାତ୍ରୀ ନିବାସ ସମ୍ପୁର୍ଣ୍ଣ ମାଗଣା ସୁବିଧା ଏହି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମାଧ୍ୟମରେ ସରକାର ଯୋଗାଇ ଆସୁଛନ୍ତି। ପ୍ରତ୍ୟେକ ବିବ୍ୟାଳୟରେ ୧୮୦ ରୁ ୨୦୦ ବାଳିକା ଛାତ୍ରୀ ନିବାସରେ ରହୁଛନ୍ତି। ବର୍ତ୍ତମାନ ଯେଉଁ ସମସ୍ୟା ସେହି ବିଦ୍ୟାଳୟ ଗୁଡିକରେ ଦେଖାଦେଇଛି ତାହା ସରକାରଙ୍କୁ ଜଣାଇ କର୍ତ୍ତୃପକ୍ଷ ହତାଶ ହୋଇଛନ୍ତି। ଏହି ବିଷୟରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୋଚରରେ ଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଛାତ୍ରୀମାନଙ୍କୁ ଶିକ୍ଷା ଅନୁକୂଳ ପରିବେଶ ଯୋଗାଇବା ଓ ଖାଦ୍ୟ ସମସ୍ୟା ଦୂର କରିବାକୁ ସରକାରୀ ଅଧିକାରୀମାନେ ଯତ୍ନବାନ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଗୁଡିକରେ ଆଵଶ୍ୟକୀୟ ଅନୁଦାନ ନ ଥିବା ବେଳେ ଛାତ୍ରୀମାନଙ୍କ ଖାଦ୍ୟ ଜନିତ ସମସ୍ୟା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିଜ ପକ୍ଷରୁ କେଉଁଠୁ କେତେ ଅର୍ଥ ବନ୍ଦୋବସ୍ତ କରିବେ ତାହା ଉଦବେଗ ର କାରଣ ହୋଇଛି। ଏପରି କିଛି ମୌଳିକ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ବିଦ୍ୟାଳୟ ର ପାଚେରୀ ଓ କୋଠା କୁ ଗେରୁଆ ରଙ୍ଗ ଦିଆଯିବ ପାଇଁ କୁଆଡେ ପଦକ୍ଷେପ ନିଆଯାଉଥିବା ଖବର ରେ ଅଭିଭାବକମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଜିଲ୍ଲାପାଳ ଏହି ସମସ୍ୟା ଓ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟର ଅନୁଧ୍ୟାନ କରିବାକୁ ଦାବି ହେଉଛି।

Also Read

Tags