ବ୍ରହ୍ମାନଗରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ I ଶତାଧିକ ଲୋକ ଉପକୃତ

Pradeep Kar

ବ୍ରହ୍ମପୁର, ୧୨/୦୮: ବ୍ରହ୍ମପୁର ସହରର ବ୍ରହ୍ମାନଗର ଓ ଜ୍ୟୋତିନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୁଧବାର ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। P.M. Medicare ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଆୟୋଜିତ ଏହି ଶିବିରରେ ଶତାଧିକ ଲୋକ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶର ସୁବିଧା ନିଃଶୁଳ୍କ ଭାବେ ପାଇଥିଲେ। ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ସତ୍ୟରଞ୍ଜନ ସେଠୀ ନିଜ ସହଯୋଗୀମାନଙ୍କ ସହ ଶିବିରରେ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଉଚ୍ଚ ରକ୍ତଚାପ, ମଧୁମେହ, ତିନିମାସିକ ହାରାହାରି ରକ୍ତ ଶର୍କରା (HbA1c), ଲିପିଡ୍ ପ୍ରୋଫାଇଲ୍, ନ୍ୟୁରୋପାଥି, ପଲ୍ମୋନାରୀ ଓ ୟୁରିକ୍ ଏସିଡ୍ ଭଳି ବିଭିନ୍ନ ପରୀକ୍ଷା ନିଃଶୁଳ୍କ ଭାବେ କରାଯାଇଥିଲା। ବରିଷ୍ଠ ନାଗରିକ ମଞ୍ଚର ସଭାପତି ହୀନ ବେହେରାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ଭବାନୀ ଶଙ୍କର ମିଶ୍ର ଓ ଡା. ଅଜିତ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଡା. ସତ୍ୟରଞ୍ଜନ ସେଠୀଙ୍କ ପିତା ରବୀନ୍ଦ୍ରନାଥ ସେଠୀ ଶିବିରକୁ ଶୁଭ ଉଦ୍‌ଘାଟନ କରିଥିଲେ। ଶିବିରର ଆୟୋଜନ ଓ ପରିଚାଳନାରେ ସୁକାନ୍ତ କୁମାର ପଟ୍ଟନାୟକ, ଶରତ୍ ଚନ୍ଦ୍ର ମହାପାତ୍ର ଓ ଉମାଶଙ୍କର ପାଣି ତଦାରଖ କରିଥିଲେ। ଶ୍ରୀମତୀ ମୀନତି ସାହୁ ଓ କେ. ରାମା ରାଓ ରେଡ୍ଡୀ ଆଗନ୍ତୁକମାନଙ୍କ ନାମ ପଞ୍ଜିକରଣ ଦାୟିତ୍ୱ ନିର୍ବାହ କରିଥିଲେ। ମଞ୍ଚର ଅଧିକାଂଶ ସଦସ୍ୟ ଓ ସଦସ୍ୟା ଉତ୍ସାହର ସହ ଶିବିରରେ ସହଯୋଗ କରିଥିବା ଦେଖାଯାଇଥିଲା। ସେହିପରି ରୋଗ ନିର୍ଣ୍ଣୟ ଓ ବିଭିନ୍ନ ପରୀକ୍ଷା ପରିଚାଳନାରେ P.M. Health Care ପକ୍ଷରୁ ବିବେକାନନ୍ଦ ମହାପାତ୍ର, ଚିତ୍ତରଞ୍ଜନ ପାଣିଗ୍ରାହୀ, ସ୍ନିଗ୍ଧା, ଶ୍ୱେତା, ହରି ଓ ରଶ୍ମି ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗର ପ୍ରାଥମିକ ନିର୍ଣ୍ଣୟ ସମ୍ପର୍କରେ ସଚେତନତା ବୃଦ୍ଧି ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା I ଏହିଭଳି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ନିୟମିତ ବ୍ୟବଧାନ ରେ ବିଭିନ୍ନ ସ୍ଥାନ ରେ ଆୟୋଜନ କରାଯାଉଥିବାର ଆୟୋଜକଙ୍କ ପକ୍ଷରୁ ପ୍ରକାଶ ପାଇଥିଲା I

Also Read

Tags