କାନାରା ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମେଗା ମେଧାବୃତ୍ତି ବଣ୍ଟନ

Pradeep Kar

ବ୍ରହ୍ମପୁର, ୧୪/୦୮/୨୦୨୬: କାନାରା ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ପରିସରରେ ଏକ ମେଗା ମେଧାବୃତ୍ତି ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘କାନାରା ବ୍ୟାଙ୍କ ଡ଼ା. ଆମ୍ବେଦକର ବିଦ୍ୟା ଜ୍ୟୋତି ସ୍କଲାରସିପ୍’ ପ୍ରଦାନ କରାଯାଇଛି। ଏଥିରେ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।କାନାରା ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ (AGM) ତଥା ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଶ୍ରୀ ଶୈକ ମହବୁବ ଅତିଥିବୃନ୍ଦ, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ବ୍ୟାଙ୍କର ଏହି ଜନକଲ୍ୟାଣକାରୀ ମେଧାବୃତ୍ତି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ବର୍ଗର ମେଧାବୀ ଛାତ୍ରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରତିବର୍ଷ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ପାଠପଢ଼ାର ନିରନ୍ତରତା ବଜାୟ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୋଟ ୩୨୪ ଜଣ ଛାତ୍ରୀଙ୍କୁ ସର୍ବମୋଟ ୧୨.୯୬ ଲକ୍ଷ ଟଙ୍କାର ସ୍କଲାରସିପ୍ ରାଶି ସେମାନଙ୍କ ସଞ୍ଚୟ ଆକାଉଣ୍ଟ (SB Account) ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ଅତିଥିଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ବ୍ୟାଙ୍କ ପାସବୁକ୍ ହସ୍ତାନ୍ତର କରାଯାଇଥିଲା।ଏହି ସମାରୋହରେ ବ୍ୟାଙ୍କର ବିଭାଗୀୟ ପ୍ରବନ୍ଧକ (DM) ଶ୍ରୀ ସମ୍ବିତ ଶତପଥୀ, ପ୍ରବନ୍ଧକ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଭାଗର ମୁଖ୍ୟ ମମତା ମହାପାତ୍ର, ଶ୍ରୀ ରବି ନାରାୟଣ ମୋହିନୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ଶେଷରେ ଆଞ୍ଚଳିକ ମୁଖ୍ୟ ଶ୍ରୀ ଶୈକ ମହବୁବ ଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Also Read

Tags