ବ୍ରହ୍ମପୁର, ୨୦/୮/୨୦୨୬: ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଚଳିତ ପୁଲିସ ମହାସଂଘ ନିର୍ବାଚନକୁ ନେଇ ଦୁଇଟି ଟିମ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୟନ ରଞ୍ଜନ ଆଚାର୍ଯ୍ୟଙ୍କ ଟିମ୍ ଥିବା ବେଳେ ଅନ୍ୟପଟେ ପ୍ରଶାନ୍ତ କୁମାର ମାର୍ଥାଙ୍କ ଟିମ୍ ରହିଛି। ଚଳିତ ଥର ଉଭୟ ଟିମ୍ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ପୁଲିସ ମହଲରେ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ସଂଘ ନିର୍ବାଚନରେ ୭୯୦ରୁ ଊର୍ଦ୍ଧ୍ୱ ଭୋଟର ରହିଥିବା ଜଣାପଡ଼ିଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଏପିଆର୍ କନଷ୍ଟେବଳମାନଙ୍କ ଭୂମିକା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ପୁଲିସ ମହଲରେ ଆଲୋଚନା ହେଉଛି। ନିର୍ବାଚନ ତାରିଖ ଘୋଷଣା ପରେ ଉଭୟ ଟିମ୍ ନିଜ ନିଜ ଶିବିରକୁ ମଜବୁତ କରିବା ସହ ଆଶାୟୀ ପ୍ରାର୍ଥୀଙ୍କୁ ନିଜ ଟିମ୍ରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ବୁଧବାର ବିଜିପୁର କାଳୀ ମନ୍ଦିର ପରିସରରେ ନୟନ ଟିମ୍ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୁଲିସ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ ଓ ସମ୍ପାଦକ କିଶୋର କୁମାର ମହାନ୍ତି ଯୋଗଦେଇ ନୟନ ଟିମ୍ର ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ସଭାପତି ପଦବୀରେ ନୟନ ରଞ୍ଜନ ଆଚାର୍ଯ୍ୟ,ସମ୍ପାଦକ: କୃଷ୍ଣ ସେଠୀ, ଉପସଭାପତି ଶ୍ରୀକାନ୍ତ ପଣ୍ଡା- କୋଷାଧ୍ୟକ୍ଷ: ଏ. ଶ୍ରୀନିବାସ ପାତ୍ର ନିର୍ବାଚନ ଲଢ଼ୁଥିବା ଜଣାପଡିଛି । ଏହି ବନ୍ଧୁ ମିଳିନ କାର୍ଯ୍ୟକ୍ରମରେ ପୁଲିସ ମହାସଂଘର ସଭାପତି ଓ ସମ୍ପାଦକ ନୟନ ଟିମ୍ର ଉପରୋକ୍ତ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ନିର୍ବାଚନରେ ସେମାନଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ନୟନ ଟିମ୍ ଓ ପ୍ରଶାନ୍ତ ଟିମ୍ ମଧ୍ୟରେ କଡ଼ା ମୁକାବିଲା ହେବା ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।
ନୟନ ଟିମ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁଲିସ ମହାସଂଘର ସଭାପତି ଓ ସମ୍ପାଦକ





