କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ନେଇ କର୍ଣ୍ଣେଲ ବିନୋଦ ଓ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ଆଲୋଚନା

Pradeep Kar

ବ୍ରହ୍ମପୁର: ଭାରତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବ୍ରହ୍ମପୁର ଡାକ ପରିକ୍ଷେତ୍ରର ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ ବିନୋଦ କୁମାର ଓ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ବାସନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଡାକ ପରିକ୍ଷେତ୍ର କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ବିଭାଗୀୟ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।କର୍ଣ୍ଣେଲ ବିନୋଦ କୁମାର କହିଥିଲେ ଯେ, ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଏହା ମାଧ୍ୟମରେ ଡାକ ବିଭାଗର ବିଭିନ୍ନ ଡାକଘର ସଞ୍ଚୟ ଯୋଜନା, ପେନସନ୍ ଯୋଜନା ଏବଂ ମାତ୍ର ବାର୍ଷିକ ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନ କରାଯିବ। ଏଥିସହ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ ନିମନ୍ତେ ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ସେ ସୂଚନା ଦେଇଥିଲେ।ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ବାସନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ଡାକ ବିଭାଗର ବିଭିନ୍ନ ସଞ୍ଚୟ ଓ ନିବେଶ ଯୋଜନା ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ମହିଳାମାନେ ନିଜ ଆୟକୁ ଉପଯୁକ୍ତ ଭାବେ ନିବେଶ କରିବା ସହ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ହାସଲ କରିପାରିବେ ବୋଲି ସେ ମତ ଦେଇଥିଲେ।ଏହି ଅବସରରେ ଜିଲ୍ଲାପାଳ ଡାକ ବିଭାଗ ପକ୍ଷରୁ ପରିଚାଳିତ ପାସପୋର୍ଟ ସେବା କେନ୍ଦ୍ରର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ବ୍ରହ୍ମପୁର ମୁଖ୍ୟ ଡାକଘରରେ ପାସପୋର୍ଟ ସେବା ଉପଲବ୍ଧ ହେବା ଫଳରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ପାସପୋର୍ଟ କରିବା ପାଇଁ ପ୍ରାୟ ୨୦୦ କିଲୋମିଟର ଦୂର ଭୁବନେଶ୍ୱର ଯିବାକୁ ପଡ଼ୁନାହିଁ। ଏହା ଦ୍ୱାରା ଲୋକଙ୍କ ଯାତାୟାତ ଖର୍ଚ୍ଚ ଓ ସମୟ ଉଭୟ ସଞ୍ଚୟ ହେଉଛି। ଏହାର ଉତ୍ତରରେ କର୍ଣ୍ଣେଲ ବିନୋଦ କୁମାର କହିଥିଲେ ଯେ, ବ୍ରହ୍ମପୁର ଡାକ ପରିକ୍ଷେତ୍ର ଅଧୀନରେ ଥିବା ସମସ୍ତ ଡାକ ମଣ୍ଡଳରେ ପାସପୋର୍ଟ ସେବା କେନ୍ଦ୍ର ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ଯୋଗାଇ ଦିଆଯାଉଛି। ଭବିଷ୍ୟତରେ ଏହି ସମସ୍ତ କଲ୍ୟାଣକାରୀ ଯୋଜନାର ସୁଫଳ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଉପରେ ଉଭୟ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବା ସହ ନିୟମିତ ବ୍ୟବଧାନରେ ଏଭଳି ବୈଠକ ଆୟୋଜନ କରିବାକୁ ମତ ପ୍ରକାଶ ପାଇଥିଲା।

Also Read

Tags