କଳାହାଣ୍ଡି, ୧୯/୧୦ କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସଦର ମହକାମା ଅଧିଷ୍ଠାତ୍ରୀ ଦେବୀ ମାଁ’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତ୍ରଯାତ୍ରା ଆଜି ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ଆଜି ପାଳିତ ହୋଇଯାଇଛି I ମହାଅଷ୍ଟମୀ ରାତିରେ ମାଁ’ ଙ୍କ ଗୁପ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ, ମହାନବମୀ ଶୁପ୍ରଭାତରେ ଦିବ୍ୟ ଛତ୍ର ଗର୍ଭଗୃହରୁ ବାହାରି ଜେନାଖାଲ ପଡ଼ା ମନ୍ଦିରରୁ ମାଁ’ ମାଣିକେଶ୍ଵରୀ ଛତର ରାଜ ରାସ୍ତା ଉପରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଶୋଭାଯାତ୍ରାରେ ଘଣ୍ଟ,କାହାଳୀ,ଘୁମୁରା, ବାଜା-ମହୁରୀ ସହ ପ୍ରାୟ ୩୫ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ୍ ପୋଲିସ ବଳ, ୯୫ ଜଣ ଅଧିକାରୀ ନିୟୋଜିତ ହେବା ସହ ଡ୍ରୋନ୍ କ୍ୟାମେରା ଦ୍ୱାରା କଡ଼ା ନଜର ରଖାଯାଇଥିଲା। ତେବେ, ପ୍ରଶାସନିକ ସୂଚନା ଅନୁଯାୟୀ ମା’ଙ୍କ ଛତର ପୂର୍ବାହ୍ନ ୧୧:୩୦ ସୁଦ୍ଧା ମନ୍ଦିରକୁ ପ୍ରବେଶ କରିବାରଥିଲା । କିନ୍ତୁ ପ୍ରଶାସନର ବିଶେଷ ତତ୍ପରତା ଯୋଗୁଁ ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ସକାଳ ୭ ଘଣ୍ଟା ୩୦ ମିନିଟ ସୁଦ୍ଧା ହିଁ ମାଁ ’ଙ୍କ ଛତର ମନ୍ଦିର ପ୍ରବେଶ କରିସାରିଥିଲା । ଏତେ ଶୀଘ୍ର ଯାତ୍ରା ଶେଷ ହୋଇଯିବାରୁ ବାହାର ଜିଲ୍ଲା ଓ ଦୂରଦୂରାନ୍ତରୁ ଆସିଥିବା ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଜନ-ଅସନ୍ତୋଷ ଦେଖାଦେଇଛି ।
କାଳାହାଣ୍ଡିରେ ମାଁ’ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତ୍ରଯାତ୍ରା ଅନୁଷ୍ଠିତ l ଶୀଘ୍ର ମନ୍ଦିର ପ୍ରବେଶକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ





