ବରଗଡ଼:-୨୭/୧୦(ନବୀନ କୁମାର ଦାଶ)ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଦ୍ୱିତୀୟ ଦିବସରେବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଦିତ୍ୟ ଗୋୟଲ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁଛନ୍ଦା ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଓଏସଡ ବ୍ଲ୍ୟୁଏଏନ୍ (OSWAN) ପ୍ଲାଟଫର୍ମ ଜରିଆରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ଚଳିତ ବର୍ଷ “ସାଧୁତାରୁ ସମୃଦ୍ଧି” ବାର୍ତ୍ତାକୁ ଆଧାର କରି ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ମୁଖ୍ୟ ଶପଥ ପାଠ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାରୁ ଅଧିକାରୀମାନେ ପ୍ରତ୍ୟକ୍ଷ ପ୍ରସାରଣ ଜରିଆରେ ଦେଖି ଶପଥ ଗ୍ରହଣ କରିଛନ୍ତି। ଏହି ସପ୍ତାହରେ ଦୁର୍ନୀତି ବିରୋଧରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା, ସଚେତନତା ଶିବିର ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଦୁର୍ନୀତି ମୁକ୍ତ ଓ ସ୍ୱଚ୍ଛ ପ୍ରଶାସନ ଗଠନ ପାଇଁ ଜିଲ୍ଲାରେ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ ଏହି ଶପଥ ପାଠ ଅଭିଯାନରେ ସାମିଲ ହୋଇଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ କଲେ ବରଗଡ଼ ଜିଲ୍ଲାପାଳ ଓ ଅଧିକାରୀମାନେ





