ସିକେରକୁପାର ୩ ଅନାଥ ଶିଶୁଙ୍କୁ ଉଦ୍ଧାର କରି କେସିଙ୍ଗା ଆଶ୍ରମରେ ଥଇଥାନ କରାଗଲା

Pradeep Kar

କଳାହାଣ୍ଡି,୨୯/୧୦ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ବ୍ଲକରେ ଅସହାୟ ଅବସ୍ଥାରେ ଭଙ୍ଗା ମାଟି ଘରେ ଦିନ କାଟୁଥିବା ୩ ଜଣ ଅନାଥ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟ ଦିଆଯାଇଛି । ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର ସିକେରକୁପା ଗ୍ରାମର ଜ୍ୟୋତି ମୋଗଲେଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉଜୁଡ଼ି ଯାଇଥିଲା । ତିନି ସନ୍ତାନଙ୍କ ପ୍ରତିପୋଷଣ କରିନପାରି ସେ ଜୀବିକା ଅନ୍ୱେଷଣରେ ବାହାରକୁ ଚାଲିଯିବା ପରେ ୩ ଜଣ କୁନି ପିଲା ଗାଁର ଏକ ପରିତ୍ୟକ୍ତ ଭଙ୍ଗା ମାଟି ଘରେ ରହି ଦୁର୍ଦ୍ଦଶାରେ ଜୀବନ ବିତାଉଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସମାଜସେବୀ ସଂଗଠନ ସହାୟତା ପାଇଁ ଆଗେଇ ଆସିଥିଲେ । ଶେଷରେ ସମାଜସେବୀ ସତ୍ୟନାରାୟଣ ବିଶିଙ୍କ ଉଦ୍ୟମ ଏବଂ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡ଼ିକାଙ୍କ ଉପସ୍ଥିତିରେ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣାସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ହାଜର କରାଯାଇଥିଲା । ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସି.ଡବ୍ଲ୍ୟୁ.ସି) ନିର୍ଦ୍ଦେଶକ୍ରମେ ଦୁର୍ଗା ମୋଗଲେ,ଦେବ ମୋଗଲେ ଓ ସୋନୁ ମୋଗଲେ ନାମକ ତିନି ନାବାଳକଙ୍କୁ କେସିଙ୍ଗା ସ୍ଥିତ ଏକ ଆଶ୍ରମରେ ଥଇଥାନ କରାଯାଇଛି । ଏହି ଉଦ୍ଧାର ସମୟରେ ସିକେରକୁପାର ଆଶାକର୍ମୀ ଲକ୍ଷ୍ମୀ ବାଗ ଓ ଶିଶୁମାନଙ୍କ ବଡ଼ମା ଲଳିତା ବିଭାର ଉପସ୍ଥିତ ରହିଥିଲେ I

Also Read

Tags