ବ୍ରହ୍ମପୁର – ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟାର ଆକାଶ ମାର୍ଗରୁ ସମୀକ୍ଷା କରିଥିବା ପରିପ୍ରେକ୍ଷୀରେ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି , ବ୍ରହ୍ମପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସଂଶୋଧିତ ସ୍ମାରକ ପତ୍ର ଇ-ମେଲ ମାଧ୍ଯମରେ ପ୍ରଦାନ କରାଯାଇଛି। ଏହାର ଏକକିତା ନକଲ ରାଜ୍ଵସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଛି। ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି ଯେ, ମୂଖ୍ୟମନ୍ତ୍ରୀ ଗଞ୍ଜାମ ବନ୍ୟା ସ୍ଥିତି ଦେଖିବା ନିମନ୍ତେ ଏଠାକୁ ଆସିଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଏହି ପରିପ୍ରେକ୍ଷୀରେ ଆମେ ଆଶା କରୁଛୁ ଯେ ସେ ବନ୍ୟାର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରି ସମ୍ୟକ୍ ଅବଗତ ହୋଇଥିବେ। ତେଣୁ ଆମର ପୂର୍ବ ସ୍ମାରକ ପତ୍ରକୁ ସଂଶୋଧନ କରି ଏହି ବ୍ୟାପକ ଭିଜନ୍ ଡକ୍ୟୁମେଣ୍ଟ ଯୁଦ୍ଧକାଳୀନ ଭିତ୍ତିରେ ବିଚାର କରିବାକୁ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ — ଆମେ ଭୂମିସ୍ତରରେ ଯାହା ଦେଖିଲୁ ଏ ବିପର୍ଯ୍ୟୟ କେବଳ ପ୍ରବଳ ବର୍ଷା ଯୋଗୁଁ ନୁହେଁ, ବରଂ ମାନବକୃତ ଅବରୋଧ ଯୋଗୁଁ ହୋଇଛି: ଯେପରିକି — ୧. ବାହାନା ନାଳ ମୃତପ୍ରାୟ: ପୂର୍ବରୁ ଏହାର ଓସାର ୧୦୦ ଫୁଟ ଥିଲା, ଏବେ ଜବରଦଖଲ ଓ ଆବର୍ଜନା ଯୋଗୁଁ ୧୦-୧୫ ଫୁଟକୁ ଶୁଖି ଯାଇଛି।୨. ନଦୀ ମୁହାଣ ବନ୍ଦ: ଋଷିକୂଲ୍ୟା ଓ ବାହାନା ନାଳର ମୁହାଣ ବାଲିଚର ଓ ପୋଲି ଯୋଗୁଁ ବନ୍ଦ ହୋଇଛି, ବନ୍ୟା ପାଣି ସମୁଦ୍ରକୁ ଯାଇପାରୁନି।୩. ବେଆଇନ ବାଲି ଚୋରାଚାଲାଣ: ଅନିୟନ୍ତ୍ରିତ ବାଲି ଖନନ ଓ ବର୍ଷ ବର୍ଷ ଧରି ପୋଲି ସଫା ନ ହେବାରୁ ନଦୀ ଗର୍ଭ ଅସନ୍ତୁଳିତ ହୋଇଛି।ଭାଗ-ଖ: ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ୫-ସୂତ୍ରୀ ନବୀନ ଓ ସ୍ଥାୟୀ ସମାଧାନ। ୧. ବାହାନା ନାଳ ୩ ଆର ( 3R ) ମିଶନ (ପୁନଃନିର୍ମାଣ, ପୁନରୁଦ୍ଧାର, ପୁନଃଜୀବନ):ORSAC/ISRO ସହାୟତାରେ ପୁରୁଣା ୧୦୦ ଫୁଟର ମାନଚିତ୍ର ଉଦ୍ଧାର କରି ୫୦ ଫୁଟ ବଫର ଜୋନ୍ ଘୋଷଣା କରାଯାଉ। ପ୍ରତି ୩ ମାସରେ ଡ୍ରୋନ୍ ସର୍ଭେ ହେଉ। କେବଳ କଂକ୍ରିଟ୍ ନୁହେଁ, ପ୍ରାକୃତିକ ଉପାୟରେ ଭେଟିଭର ଘାସ ଓ ବାଉଁଶ ଲଗାଇ ବନ୍ଧକୁ ସୁଦୃଢ଼ କରାଯାଉ। ପ୍ରତି ୱାର୍ଡରେ “ବାହାନା ମିତ୍ର” ନିଯୁକ୍ତି କରି ୩୦୦୦ ଟଙ୍କା ସମ୍ମାନ ଭତ୍ତା ଦିଆଯାଉ। ୨. ନଦୀ ମୁହାଣରୁ ସମୁଦ୍ର ପର୍ଯ୍ୟନ୍ତ ଡ୍ରେଜିଂ ବିପ୍ଳବ:ପ୍ରତି ବର୍ଷ ଫେବୃୟାରୀ-ମାର୍ଚ୍ଚରେ ବୈଜ୍ଞାନିକ ପଦ୍ଧତିରେ ମୁହାଣ ସଫା କରାଯାଉ। ବାହାରୁଥିବା ବାଲିରୁ ନିମ୍ନାଞ୍ଚଳରେ ଉଚ୍ଚ ବନ୍ୟା ଆଶ୍ରୟ ମଞ୍ଚ ନିର୍ମାଣ କରାଯାଉ। ମୁହାଣରେ ସ୍ୱଳ୍ପ ଖର୍ଚ୍ଚର ଟାଇଡାଲ୍ ଗେଟ୍ ଲଗାଯାଉ ଯାହା ଜୁଆର ପାଣିକୁ ଅଟକାଇବ ଓ ବନ୍ୟା ପାଣିକୁ ବାହାରକୁ ଛାଡ଼ିବ। ୩. ସ୍ୱଚ୍ଛ ବାଲି ପରିଚାଳନା – e-ଆଭାରୀ ଆପ୍:ପ୍ରତି ବାଲି ଟ୍ରକରେ ଜିପିଏସ ଓ କିୟୁଆର କୋଡ୍ ବାଧ୍ୟତାମୂଳକ କରାଯାଉ। ସାଧାରଣ ଲୋକ ମୋବାଇଲରେ ସ୍କାନ୍ କରି ବୈଧତା ଜାଣିପାରିବେ। ବାଲି ରୟାଲଟିର ୨୦% ସିଧା ପଞ୍ଚାୟତର “ନାଳ ସୁରକ୍ଷା ପାଣ୍ଠି”କୁ ଦିଆଯାଉ। ୪. ବ୍ରହ୍ମପୁରକୁ ଓଡ଼ିଶାର ପ୍ରଥମ “ସ୍ପଞ୍ଜ ସିଟି”:ଅମୃତ ସରୋବର ୨.୦ ଅଧୀନରେ ସହରର ୧୦ଟି ପୁରୁଣା ପୋଖରୀର ପୁନରୁଦ୍ଧାର କରାଯାଉ। ସମସ୍ତ ସରକାରୀ କୋଠା ଓ ସ୍କୁଲରେ ବାଧ୍ୟତାମୂଳକ ବର୍ଷା ଜଳ ଅମଳ ଗାତ ନିର୍ମାଣ ହେଉ। ୫. ଲୋକଙ୍କ ଭାଷାରେ ଆଗୁଆ ଚେତାବନୀ:ବନ୍ୟାର ୬ ଘଣ୍ଟା ପୂର୍ବରୁ ପ୍ରତି ବସ୍ତିରେ ମାଇକ୍ ଓ ୱାଟସଆପ୍ ଭଏସ୍ ମେସେଜ୍ ମାଧ୍ୟମରେ ଓଡ଼ିଆରେ ଘୋଷଣା – “ବାହାନା ନାଳରେ ପାଣି ବଢୁଛି, ଦୟାକରି ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ”।ଭାଗ-ଗ: ଆମର ତୁରନ୍ତ ଦାବିକ) ଏହାକୁ ବ୍ରହ୍ମପୁର ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଉ।ଖ) ତୁରନ୍ତ ପୋଲି ସଫା ଓ ଭାଙ୍ଗିଥିବା ବନ୍ଧ ମରାମତି କରାଯାଉ।ଗ) ଫସଲ ଓ ଘର କ୍ଷୟକ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ।ଆମେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ଣ୍ଣ ସମର୍ଥନ ଓ ଜନ ସହଯୋଗ ଯୋଗାଇ ଦେବୁ। ଯଦି ଏହି ପଦକ୍ଷେପ ନିଆଯାଏ, ଭବିଷ୍ୟତରେ ଅର୍ଣ୍ଣବ ଭଳି ବାତ୍ୟା ଆସିଲେ ବି ବ୍ରହ୍ମପୁର ବୁଡ଼ିବ ନାହିଁ, ଲଢ଼ିବ।




