୭୭ ତମ ଗଠନ ଦିବସ ପାଲୁଛି କଳାହାଣ୍ଡି

Pradeep Kar

କଳାହାଣ୍ଡି, ଆଜି ନଭେମ୍ବର ୧, ୭୭ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ‘କଳାହାଣ୍ଡି ଦିନ୍’। ଦୀର୍ଘ ୭୭ ବର୍ଷର ଇତିହାସକୁ ମନେ ପକାଇ ନିଜ ମାଟିର ଗୌରବ ଓ ପରିଚୟକୁ ନେଇ ଗର୍ବିତ ଜିଲ୍ଲାବାସୀ। ୧୯୪୮ ମସିହାରେ କଳାହାଣ୍ଡି ଗଡ଼ଜାତ ରାଜ୍ୟ ଭାରତୀୟ ସଂଘ ସହ ମିଶ୍ରଣ ହୋଇଥିଲା। ଏହାପରେ ୧ ନଭେମ୍ବର ୧୯୪୯ ମସିହାରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସମ୍ବଲପୁରରୁ ଖଡ଼ିଆଳ ସବ୍‌-ଡିଭିଜନକୁ କଳାହାଣ୍ଡିରେ ସାମିଲ କରାଯାଇ ସ୍ୱତନ୍ତ୍ର କଳାହାଣ୍ଡି ଜିଲ୍ଲା ଗଠନ କରାଯାଇଥିଲା। ଜିଲ୍ଲା ଗଠନର ଦୀର୍ଘ ବର୍ଷ ପରେ ୧୯୯୭ ମସିହାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସାଂସ୍କୃତିକ ପ୍ରେମୀଙ୍କ ଉଦ୍ୟମରେ ନଭେମ୍ବର ୧ ତାରିଖକୁ ଆନୁଷ୍ଠାନିକ ଭାବେ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ‘କଳାହାଣ୍ଡି ଦିନ୍’ ଭାବେ ପାଳନ କରାଯାଇ ଆସୁଛି। କଳାହାଣ୍ଡିର ପରିଚୟ କେବଳ ଏହାର ଇତିହାସରେ ସୀମିତ ନୁହେଁ। ଭୋକର ଭୂଖଣ୍ଡ ରୁ ଓଡ଼ିଶାର ଦ୍ବିତୀୟ ବୃହତମ କୃଷିପ୍ରାଧାନ୍ୟ ଜିଲ୍ଳା । ମା’ ମାଣିକେଶ୍ୱରୀଙ୍କ ଆରାଧନା ର ମାଟି। ବୀରବାଦ୍ୟ ଘୁମୁରା ନୃତ୍ୟ, ଆଦିବାସୀ ଲୋକସଂସ୍କୃତି ଓ ପାରମ୍ପରିକ ପର୍ବପର୍ବାଣୀ ଏହି ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ। କୃଷି, ଜଙ୍ଗଲ, ପାହାଡ଼, ନଦୀ ଓ ପ୍ରାକୃତିକ ସମ୍ପଦରେ ଭରପୂର ଜିଲ୍ଲାରେ ରହିଛି ଅପାର ସମ୍ଭାବନା। ସମୟ ବଦଳିଛି, ବଦଳିଛି ବିକାଶର ଚିତ୍ର। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଓ ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଛି କଳାହାଣ୍ଡି।

Also Read

Tags