ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ପରିବାରଙ୍କୁ ମାନବିକ ସହାୟତା ଯୋଗାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Pradeep Kar

ଭୁବନେଶ୍ୱର, ନଭେମ୍ବର ୧:ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସହରାଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ନିରନ୍ତର ତଦାରଖ କରିବା ସହ ନିର୍ଦ୍ଧାରିତ ସମୟରେ ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ପୌରାଞ୍ଚଳରେ ରାସ୍ତାଘାଟ ମରାମତି, ରିଲିଫ୍ କାର୍ଯ୍ୟ, ଅତ୍ୟାବଶ୍ୟକ ସେବାର ପୁନରୁଦ୍ଧାର, ପରିମଳ ବ୍ୟବସ୍ଥାର ସୁଧାର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ରିପୋର୍ଟରେ ଦେବାକୁ ସେ କହିଛନ୍ତି । ଏଥିସହ ଅତିରିକ୍ତ ଭାବେ ନିଆଯାଇଥିବା ପଦକ୍ଷେପ ଏବଂ ରାଜ୍ୟ ସରକାର କିମ୍ବା ଅନ୍ୟାନ୍ୟ ସଂସ୍ଥାଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଜଣାଇବାକୁ ନିର୍ଦ୍ଦେଶ ରହିଛି । ପୁନରୁଦ୍ଧାର କାର୍ଯ୍ୟରେ ମାନବିକତା ଓ ସମ୍ବେଦନଶୀଳତାକୁ ପ୍ରାଥମିକତା ଦେବାକୁ ଗୁରୁତ୍ୱ ଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଅଧିକାରୀମାନେ କେବଳ ନିଜର ସରକାରୀ ଦାୟିତ୍ୱ ମଧ୍ୟରେ ସୀମିତ ନ ରହି ପ୍ରଭାବିତ ନାଗରିକ ଓ ପରିବାରଙ୍କ ପାଖରେ ଜଣେ ସହୃଦୟ ପଡ଼ୋଶୀ ଭାବେ ଛିଡ଼ା ହୁଅନ୍ତୁ । ଏଥିପାଇଁ କମ୍ୟୁନିଟି ଅର୍ଗାନାଇଜର , ସହଯୋଗ ସାଥୀ ଏବଂ ପରିମଳ କର୍ମଚାରୀଙ୍କୁ ନିୟୋଜିତ କରି ପ୍ରଭାବିତ ପରିବାରଗୁଡ଼ିକୁ ସିଧାସଳଖ ସହାୟତା ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ପରିମଳ କର୍ମଚାରୀଙ୍କ ସହଯୋଗରେ ପ୍ରଭାବିତ ଘରଗୁଡ଼ିକ ସଫା କରିବା, ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ପହଞ୍ଚାଇବା, ପରିବାରଗୁଡ଼ିକୁ ପୁନର୍ବାର ସ୍ୱାଭାବିକ ଜୀବନଯାପନ ଆରମ୍ଭ କରିବାରେ ସହଯୋଗ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରିଲିଫ୍ ସହାୟତା ପ୍ରଦାନ ସୁନିଶ୍ଚିତ କରିବା ଭଳି କାର୍ଯ୍ୟ ହାତକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜର ଅଭିଜ୍ଞତା ଏବଂ ସହାୟତାମୂଳକ କାର୍ଯ୍ୟର ସକାରାତ୍ମକ କାହାଣୀଗୁଡ଼ିକୁ ଲିପିବଦ୍ଧ କରି ସାର୍ବଜନୀନ କରିବାକୁ ମଧ୍ୟ ସେ ଉତ୍ସାହିତ କରିଛନ୍ତି । ଏହାଦ୍ୱାରା ସଙ୍କଟ ସମୟରେ ସାମାଜିକ ସହଯୋଗ, ମାନବିକତା ଓ ସାମୂହିକ ଦାୟିତ୍ୱବୋଧର ସକାରାତ୍ମକ ଉଦାହରଣ ସାମ୍ନାକୁ ଆସିପାରିବ । ପୁନରୁଦ୍ଧାର କାର୍ଯ୍ୟ କେବଳ ପ୍ରଶାସନିକ ଦକ୍ଷତା ମଧ୍ୟରେ ସୀମିତ ନ ରହି ମାନବିକ ସମ୍ବେଦନଶୀଳତା ଓ ଲୋକଙ୍କ ପ୍ରତି ଆନ୍ତରିକତାର ପ୍ରତିଫଳନ ହେବା ଆବଶ୍ୟକ ବୋଲି ଶ୍ରୀମତୀ ପାଢୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ପ୍ରଭାବିତ ପରିବାର ଯେପରି ଆବଶ୍ୟକ ସହାୟତା ପାଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Also Read

Tags