ଗଞ୍ଜେଇ ଚୋରା ଚାଲାଣ ଉପରେ ଭଞ୍ଜପୁର ପୋଲିସର ଚଢ଼ାଉ, ୩ ଗିରଫ I ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ କାର ଏବଂ ନଗଦ ଲକ୍ଷାଧିକ ଟଙ୍କା ଜବତ

Pradeep Kar

ମୟୁରଭଞ୍ଜ ଜିଲ୍ଲାରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଚୋରା ଗଞ୍ଜେଇ ଚାଲାଣ ରୋକିବା ଦିଗରେ ବାରିପଦା ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଲକ୍ଷ୍ମୀପୋଷି ଫାଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଗୋଡାଇ ଗୋଡାଇ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ପୋଲିସ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟ ନିକଟ ଦେଇ ଏକ କାରରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୋଲିସକୁ କୌଣସି ସୂତ୍ରରୁ ଗୁଇନ୍ଦା ସୂଚନା ମିଳିଥିଲା। ଖବର ପାଇ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଏକ ସନ୍ଦିଗ୍ଧ ପଶ୍ଚିମବଙ୍ଗ ନମ୍ବର ଡ଼ବ୍ଲୁବି 89ଡି 0632 ନମ୍ବର କାରକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ଦେଢ଼ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା। ପୋଲିସ ତୁରନ୍ତ ଗାଡ଼ିରେ ଥିବା ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ସହ ଘଟଣା ସ୍ଥଳରୁ ଉକ୍ତ ଗଞ୍ଜେଇ, ନଗଦ ଲକ୍ଷାଧିକ ଟଙ୍କା ଓ କାରଟିକୁ ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରହିଛି। ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ର‍୍ୟାକେଟ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତି ମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ ଉଲୁବେରା ଥାନା ଅନ୍ତର୍ଗତ ୩୬ ବର୍ଷୀୟ ଶ୍ରୀକାନ୍ତ ବାଗ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ସରିଶକଠା ଗ୍ରାମର ୩୨ ବର୍ଷୀୟା ଜଗନ ମହାଳିକ ଏବଂ ଭଞ୍ଜପୁର ଥାନା ଅନ୍ତର୍ଗତ ତଥା ବାରିପଦା ସହରର ୱାର୍ଡ ନଂ 3 ୱାଲିଗଞ୍ଜ ଅଞ୍ଚଳର ୩୯ ବର୍ଷୀୟ ରାଜେଶ କୁମାର ପରିଡ଼ା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Also Read

Tags