ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ପାଗ ଅନୁକୂଳ ରହିଲେ ବଢ଼ିବ ବାତ୍ୟା ଭୟ

Pradeep Kar

ଭୁବନେଶ୍ୱର, ୦୭/୦୫: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଜିଏଫଏସ୍ ପରେ ଇସିଏମଡବ୍ଲ୍ୟୁଏଫ୍ ମଧ୍ୟ ଲଘୁଚାପ ନେଇ ପୂର୍ବାନୁମାନ ଦେଖାଇଛି । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି । ଆରମ୍ଭରୁ ଏଯାଏ ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଥିବା ଆକଳନ କରିଛି । ଏପରିକି ଏହା ଓଡ଼ିଶା ମୁହାଁ ହେବା ନେଇ ସମ୍ଭାବ୍ୟ ଚିତ୍ର ଦେଖାଇଛି ।ହେଲେ ଅନ୍ୟ କୌଣସି ମଡେଲ୍ ଏଯାଏ ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଖାଇ ନାହାନ୍ତି ।ଜିଏଫଏସ୍ ମଡେଲ୍ ବୁଧବାର ସନ୍ଧ୍ୟାରେ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ରୂପ ନେଇ ଆସନ୍ତା ୧୫ ତାରିଖବେଳକୁ ଓଡ଼ିଶା ଉପକୂଳର ଅତି ନିକଟରେ ପହଞ୍ଚିପାରେ । ଦୀର୍ଘ ସମୟ ଧରି ଏହା ଓଡ଼ିଶା ଉପକୂଳ ଓ ପାଖ ଅଞ୍ଚଳ ଉପରେ ରହିବା ସମ୍ଭାବନା ଅଛି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉଭୟ ଜିଏଫଏସ୍ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଏକମତ ଯେ ମେ’ ମାସ ମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ହେବ। ୧୪-୧୫ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଜିଏଫଏସ୍ ମଡେଲ୍ ଏକ ଶକ୍ତିଶାଳୀ ବାତ୍ୟା ନେଇ ସମ୍ଭାବ୍ୟ ଚିତ୍ର ଦେଖାଉଛି । କିନ୍ତୁ, ଇସିଏମଡବ୍ଲ୍ୟୁଏଫ ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି ।ପ୍ରଫେସର ପଶୁପାଳକ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ବାତ୍ୟା ଘନୀଭୂତ ହେବାକୁ ଅନୁକୂଳ ହେବ । ଏମଜେଓ ସ୍ଥିତି ଫେଜ୍-୨ରୁ ବାହାରି ଫେଜ୍-୩ରେ ଅଧିକ ସକ୍ରିୟ ହେଉଛି । ଏହା ବଙ୍ଗୋପସାଗରରେ ଊଦ୍ଧ୍ୱର୍ ମୁଖୀ ପବନ ଏବଂ ମେଘମାଳା ସୃଷ୍ଟିରେ ସହାୟକ ହେବ । ଆସନ୍ତା ୨୪ରୁ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହା ମଧ୍ୟରେ ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପବନର ଗତି କମିବା ଜାରି ରହିବା ସହ ଏମଜେଓ ଫେଜ୍-୩ରେ ତୀବ୍ରତା ବଢ଼ିଲେ ଲଘୁଚାପଟି ବାତ୍ୟାରେ ପରିଣତ ହେବା ନେଇ ସଙ୍କେତ ମିଳିବ । ୧୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଆସନ୍ତା ୮-୯ ତାରିଖରେ ଘୂର୍ଣ୍ଣିବଳୟ, ୧୧ରେ ଲଘୁଚାପ ଏବଂ ୧୫ ବେଳକୁ ବାତ୍ୟା ସମ୍ଭାବନା ଅଛି ।ବର୍ତ୍ତମାନ କେନ୍ଦ୍ରୀୟ ଭାରତରୁ ଓଡ଼ିଶା ଉପର ଦେଇ ଏକ ଟ୍ରପଲାଇନ ଲମ୍ବିଛି । ଯଦି ଏହା ୧୧ ତାରିଖବେଳକୁ ହଟିଯାଏ କିମ୍ବା ବାଂଲାଦେଶ ଆଡ଼କୁ ପଳାଏ, ତେବେ ବାତ୍ୟା ଭାରତ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଦିଗରେ ବି ମୁହାଁଇପାରେ । ହେଲେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ମାଡ଼ ହେବ କି ନାହିଁ, ସେ ନେଇ ମଧ୍ୟ ଭିନ୍ନ ଆକଳନ କରାଯାଉଛି । ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ । ବର୍ତ୍ତମାନ ସାରା ଓଡ଼ିଶାରେ ତାତି ପ୍ରକୋପ କମିଯାଇଛି । ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ମାଲକାନଗିରିରେ ସର୍ବାଧିକ ୩୯.୬, ଫୁଲବାଣୀ ୩୮.୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱର, ତାଳଚେର ସମେତ କେତେକ ସ୍ଥାନରେ ପାରଦ ୩୬ ଟପିଥିଲା । ଆସନ୍ତା ୬ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହୁଛି । ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲା ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ଆଶଙ୍କା ଅଛି । ପବନ ବେଗ ୪୦-୫୦ କିମି ରହିପାରେ । ଉପକୂଳରେ ଗୁଳୁଗୁଳି ଲାଗି ରହିବ । ବଙ୍ଗୋପସାଗର ପବନ ପ୍ରଭାବରେ ଆଭ୍ୟନ୍ତରୀଣରେ ଗରମରୁ ଆଶ୍ୱସ୍ତି ମିଳିବ । ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ।

Also Read

Tags