ଗଞ୍ଜାମରେ ପୋଲିସ ଆଇନର ଧାରା-୩୦ ମେ ୧୮ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଳବତ୍ତର

Pradeep Kar

ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର / ମନାନ୍ତର ଲାଗିରହିଛି । ଏଭଳି ପରିସ୍ଥିତିର ସୁଯୋଗ ନେଇ ସ୍ଥାନୀୟ ଅସାମାଜିକ ତତ୍ତ୍ୱମାନେ ରାଜନୈତିକ ସଭା, ଶୋଭାଯାତ୍ରା ଇତ୍ୟାଦିର ଆବରଣରେ ତାଙ୍କର ଅପରାଧିକ ଓ ଅସାମାଜିକ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ବହୁ ସଂଖ୍ୟାରେ ଦଳଗୁଡ଼ିକରେ ଯୋଗ ଦେଉଛନ୍ତି । ଏହିମାନଙ୍କ ଯୋଗଦାନ ରାଜନୈତିକ ଦଳମାନଙ୍କ ଦ୍ୱାରା ଆୟୋଜିତ ସାର୍ବଜନୀନ ସଭା ଓ ଶୋଭାଯାତ୍ରାମାନଙ୍କରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଶ୍ରୀ ଭି. କୀର୍ତ୍ତି ଭାସନ୍, ଭା.ପ୍ର.ସେ., ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ବିଚାରରେ ଏପରି ସଭା ଓ ଶୋଭାଯାତ୍ରାମାନଙ୍କୁ ନିୟନ୍ତ୍ରଣ କରାନଗଲେ ଗୁରୁତର ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏହି ଆଶଙ୍କାଙ୍କୁ ପାଥେୟ କରି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଭା.ପୋ.ସେ, ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ, ପୋଲିସ ଆଇନ-୧୯୬୧ର ଧାରା-୩୦ ଗଞ୍ଜାମ ଜିଲ୍ଲାରେ ୧୮.୦୫.୨୦୨୬ ରୁ ୧୫.୦୮.୨୦୨୬ ତାରିଖ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) ଜାରି କରିଛନ୍ତି । ଏହା ଅନୁସାରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପାଇଁ ସମ୍ପୃକ୍ତ ଏସ୍‌ଡିପିଓ ଯଥା ଏସ୍‌ଡିପିଓ ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା ଓ ଭଞ୍ଜନଗର / ଜିଲ୍ଲାର ସମସ୍ତ ଥାନାର ଆଇଆଇସିଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରିବାକୁ ପଡିବ ।ଏପରି ଆବେଦନରେ ସଭା କେବେ ଓ କେଉଁ ସ୍ଥାନରେ ଆୟୋଜିତ ହେବ, ସଭା କିମ୍ବା ସମାବେଶର ଉଦ୍ଦେଶ୍ୟ କ’ଣ ଏବଂ ପ୍ରସ୍ତାବିତ ବକ୍ତାମାନଙ୍କର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡିବ ।ଶୋଭାଯାତ୍ରା ସମ୍ବନ୍ଧୀୟ ଆବେଦନରେ ରୁଟ୍‌, ବିରାମ ସ୍ଥଳ, ଶୋଭାଯାତ୍ରାରେ ଯୋଗଦେବାକୁ ଥିବା ଲୋକଙ୍କ ଆନୁମାନିକ ସଂଖ୍ୟା, ସଙ୍ଗୀତ ବଜାଇବାକୁ ଥିଲେ ସଙ୍ଗୀତଜ୍ଞଙ୍କ ସଂଖ୍ୟା ଓ ସଙ୍ଗୀତର ପ୍ରକାର, ମୋଟର ଗାଡ଼ିର ସଂଖ୍ୟା, ହାତୀ, ଘୋଡ଼ା ପରି ପଶୁ କିମ୍ବା ପାରମ୍ପରିକ ଅସ୍ତ୍ର ବ୍ୟବହାର କରିବାକୁ ଥିଲେ ସେମାନଙ୍କର ସଂଖ୍ୟା ପ୍ରାଞ୍ଜଳ ଭାବରେ ଆବେଦନ ପତ୍ରରେ ଉଲ୍ଲେଖ କରିବାକୁ ପଡିବ ।ପୋଲିସ ଆଇନର ଧାରା-୩୦ ଅନୁଯାୟୀ ଅନୁମତି ପ୍ରଦାନ ପୂର୍ବରୁ ସମ୍ପୃକ୍ତ କମିଟି / ଆୟୋଜକମାନଙ୍କୁ ତାଙ୍କର ଦାୟିତ୍ୱ ସମ୍ବନ୍ଧରେ ଜଣାଇଦିଆଯିବ ଏବଂ ତାଙ୍କ ଉପରେ ସର୍ତ୍ତାବଳୀ ଲାଗୁ କରାଯିବ ।ଆବେଦନରେ ଆତଶବାଜି ପ୍ରଦର୍ଶନ କରାଯିବାକୁ ଥିଲେ ତାହାର ପ୍ରକାର, ସମୟ ଓ ସ୍ଥାନ ମଧ୍ୟ ଉଲ୍ଲେଖ କରିବାକୁ ପଡିବ ।ପ୍ରତ୍ୟେକ ଆବେଦନ ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପୂର୍ବରୁ ଅତି କମରେ ୭୨ ଘଣ୍ଟା ପୂର୍ବରୁ ଅନୁମତି ପ୍ରଦାନ କରିବାକୁ ସକ୍ଷମ ପୋଲିସ୍ ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ।ଏହି ଆଦେଶ ୧୮.୦୫.୨୦୨୬ ରୁ ୧୫.୦୮.୨୦୨୬ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) ନବେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Also Read

Tags