ବ୍ରହ୍ମପୁର – ୧୩.୦୬.୨୦୨୬ ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଲିବ୍ରେସନ୍ ହଲ୍ ଠାରେ ଚଳିତ ମାସ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଦ ପ୍ରବଚନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ଯୋଗ ଦେଇ ଏହି ବିଚାର ବ୍ୟକ୍ତ କରିଛନ୍ତି ଯେ ମନୁଷ୍ୟର କଲ୍ୟାଣ ନିମିତ୍ତ ପରମାତ୍ମା ସୃଷ୍ଟିର ପ୍ରାରମ୍ଭରେ ହିଁ ସଂସ୍କୃତିର ମୌଳିକ ସ୍ୱରୁପକୁ ବେଦରେ ପ୍ରଦାନ କରିଛନ୍ତି । ପରବର୍ତ୍ତୀ ସମୟରେ ଋଷି ମହର୍ଷିଗଣ ସଂସ୍କୃତିର ସେହି ସତ୍ୟ-ଶିବ-ସୁନ୍ଦରର ବ୍ୟାପକ ସ୍ଵରୁପକୁ ଅନ୍ୟାନ୍ୟ ବୈଦିକ ଗ୍ରନ୍ଥରେ ବିସ୍ତୃତ ରୂପେ ଉପସ୍ଥାପିତ କରିଛନ୍ତି । ବୈଦିକ ସଂସ୍କୃତି ସମସ୍ତ ଦିବ୍ୟଗୁଣାବଳୀର ଭଣ୍ଡାର ହୋଇ ନିଖିଳ ବିଶ୍ଵ ଗଗନ ମଣ୍ଡଳରେ ମଧ୍ୟାହ୍ନ ସୂର୍ଯ୍ୟସମ ସ୍ଵ ଦିବ୍ୟ ଆଭାରେ ଦେଦୀପ୍ୟମାନ। ତାହାରି ପ୍ରକାଶରେ ଆମ ଜୀବନ ପ୍ରକାଶିତ ହେଉ । ବୈଦିକ ସଂସ୍କୃତି ହିଁ ବାସ୍ତବରେ ମାନବ ମନର ଅଜ୍ଞାନ ଦୂର କରେ, ଚିତ୍ତକୁ ନିର୍ମଳ କରେ, ବୁଦ୍ଧିକୁ ପ୍ରଦୀପ୍ତ କରି ଜୀବନକୁ ଦିବ୍ୟ ଗୁଣାବଳୀରେ ଅଳଙ୍କୃତ କରି ସୁଖ ଶାନ୍ତିମୟ କରେ । ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସକ୍ରିୟ ସଦସ୍ୟ ଜଗନ୍ନାଥ ସୁବୁଦ୍ଧି, ରାଜେଶ୍ୱର ସୁବୁଦ୍ଧି, ଭଗବାନ ଗୌଡ଼, ସନ୍ତୋଷ ପାତ୍ର, ଅଲେଖ ପାତ୍ର, ଲୋକନାଥ ମହାନ୍ତି ସବିତା ସୁବୁଦ୍ଧି, ଟି. ବବିତା, ପ୍ରଣତି ପାତ୍ର, ମମତା ବଦତ୍ୟା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଶତାଧିକ ବେଦ ପ୍ରେମୀ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହା ଆଗାମୀ ୧୫ ତାରିଖ ଯାଏଁ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
ବ୍ରହ୍ମପୁର ବେଦ ପ୍ରଚାର ସମିତିର ବେଦ ପ୍ରବଚନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ





