ବି.ଏସସି(B.Sc.) ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ସାଂସଦ

Pradeep Kar

ବ୍ରହ୍ମପୁର, ୨୫ ଜୁନ୍ ୨୦୨୬:​ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୬ଟି ନର୍ସିଂ କଲେଜର ୧୦୦୦ ରୁ ଅଧିକ ବି.ଏସସି (B.Sc.) ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ । ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀକାଳୀନ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ​ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ୱାରା ପ୍ରକାଶିତ ନର୍ସିଂ ଅଫିସର ନିଯୁକ୍ତି ପରୀକ୍ଷା ୨୦୨୬ (ବିଜ୍ଞାପନ ସଂଖ୍ୟା: IIE-54/2026-1896/OSSSC) ପାଇଁ ଆବେଦନ ପ୍ରକ୍ରିୟା ଜୁନ୍ ୧୩ ରୁ ଜୁଲାଇ ୧୩, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି । କିନ୍ତୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ଅବହେଳା ଓ ବିଳମ୍ବ ଯୋଗୁଁ ୨୦୨୧-୨୦୨୫ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ଶେଷ ବର୍ଷ ପରୀକ୍ଷା ଫଳ ଏବଂ ଷ୍ଟେଟ୍ ନର୍ସିଂ କାଉନସିଲ୍ ପଞ୍ଜୀକରଣ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ​ରାଜ୍ୟର ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରମାଣପତ୍ର ପାଇ ଆବେଦନ କରୁଥିବା ବେଳେ, କେବଳ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବଡ଼ ସୁଯୋଗରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଏହି ନିଯୁକ୍ତି ସୁଯୋଗ ଆସିଥିବାରୁ, ଏଥିରୁ ବଞ୍ଚିତ ହେଲେ ଦକ୍ଷିଣ ଓଡ଼ିଶାର ୧୦୦୦ ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସାଂସଦ ଡଃ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବି ଉପସ୍ଥାପନ କରିଛନ୍ତି:​ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଷ୍ଟେଟ୍ ନର୍ସିଂ କାଉନସିଲ୍‌କୁ ତୁରନ୍ତ ଓ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ।​ ତୁରନ୍ତ ପରୀକ୍ଷା ଫଳ ପ୍ରକାଶନ: ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଶେଷ ବର୍ଷ ପରୀକ୍ଷା ଫଳ ଓ ପଞ୍ଜୀକରଣ ପ୍ରକ୍ରିୟା ତୁରନ୍ତ ପ୍ରକାଶ କରାଯାଉ ।​ ଆବେଦନ ଅବଧି ବୃଦ୍ଧି: OSSSC ନର୍ସିଂ ଅଫିସର ପରୀକ୍ଷା ପାଇଁ ଆନଲାଇନ୍ ଆବେଦନର ଶେଷ ସମୟସୀମାକୁ ଆଉ କିଛି ସପ୍ତାହ ଘୁଞ୍ଚାଇ ଦିଆଯାଉ, ଯଦ୍ୱାରା ଏହି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବା ପାଇଁ ସମାନ ସୁଯୋଗ ପାଇପାରିବେ । ​ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସ୍ମାରକପତ୍ର (ଫାଇଲ୍ “Appointment letter to MP-1.pdf”) କୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ଶାସନ ସଚିବ, OSSSC ଅଧ୍ୟକ୍ଷ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ମଧ୍ୟ ଏହାର ନକଲ ପ୍ରେରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହାନୁଭୂତିଶୀଳ ନେତୃତ୍ୱ ଉପରେ ସାଂସଦ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ନ୍ୟାୟ ପାଇବେ।

Also Read

Tags