ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେଲା ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟ I ବିପନ୍ନଙ୍କୁ ନୂତନ ବସ୍ତ୍ର, ଗାମୁଛା ଓ ବିସ୍କୁଟ ବଣ୍ଟନ କରାଗଲା

Pradeep Kar

ପୁରୁଷୋତ୍ତମପୁର, ୩୧ ଅକ୍ଟୋବର: ବିପଦରେ ମଣିଷ ହିଁ ମଣିଷର ପ୍ରକୃତ ସାହାରା। ଦୁଃଖରେ ଭାଙ୍ଗିପଡ଼ିଥିବା ମଣିଷ ପାଖରେ ଛିଡ଼ା ହୋଇ ତାଙ୍କ ଆଖିର ଲୁହ ପୋଛିବା ହିଁ ପ୍ରକୃତ ମାନବିକତାର ପରିଚୟ। ଏହି ମହତ୍ ଉଦ୍ଦେଶ୍ୟ ନେଇ ଗତ ୩୧ ଅକ୍ଟୋବର ୨୦୨୬ରେ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଯୋଗୁଁ ବନ୍ୟା ପ୍ରଭାବିତ ବଲିଆ, କେ.ଏନ୍.ପୁର, ଖଜିପଲ୍ଲୀ ଓ କୁମ୍ଭାରୀ ଆଦି ଗ୍ରାମରେ ପହଞ୍ଚି ଅସହାୟ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିଥିଲେ। ବନ୍ୟାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଟ୍ରଷ୍ଟ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ନୂତନ ବସ୍ତ୍ର, ଗାମୁଛା ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି ସହାୟତା କେବଳ କିଛି ସାମଗ୍ରୀ ବଣ୍ଟନ ନଥିଲା, ବରଂ ବିପଦରେ ଥିବା ପରିବାରଗୁଡ଼ିକ ପ୍ରତି ସ୍ନେହ, ସମବେଦନା ଓ ମାନବିକତାର ଏକ ନିଆରା ଉଦାହରଣ ଥିଲା। ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ମଣିଷର ଜୀବନରୁ ହସ ଛଡ଼ାଇ ନିଏ, ସେତେବେଳେ ସହାନୁଭୂତିର ଏକ ଛୋଟ ପଦକ୍ଷେପ ମଧ୍ୟ ମନରେ ନୂଆ ଆଶା ସଞ୍ଚାର କରେ। ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖରେ ସାମିଲ ହେବା ସହ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ ଏହି ବାର୍ତ୍ତା ଦେଇଥିଲେ ଯେ, ବିପଦର ଏହି କଠିନ ସମୟରେ ସେମାନେ ଏକା ନୁହନ୍ତି; ସମାଜ ସେମାନଙ୍କ ସହ ରହିଛି। ଏହି ସେବା କାର୍ଯ୍ୟରେ ଦିଲୀପ ମହାପାତ୍ର, ସସ୍ମିତା ସାହୁ, ସୌରଭ ରଥ, ଅନ୍ତର୍ଯ୍ୟାମୀ ପାତ୍ର, ମନୋଜ ସାହୁ, ପ୍ରଶାନ୍ତ ସାହୁ, ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ, ସଂଯୁକ୍ତା ସାମଲ, ସୁମନ ପାଣିଗ୍ରାହୀ, ମାମା ପଣ୍ଡା, ଗୀତାଞ୍ଜଳି ସାହୁ, ପି. କୃଷ୍ଣା, ଡକ୍ଟର ସନ୍ଧ୍ୟା ରାଣୀ ପାଣିଗ୍ରାହୀ,ମନସ୍ୱିନୀ ପାତ୍ର ଓ ନୃସିଂହ ପ୍ରସାଦ ପାଠୀ ପ୍ରମୁଖ ସାମିଲ ହୋଇଥିଲେ। ମାନବ ସେବା ହିଁ ମାଧବ ସେବା। ଅସହାୟଙ୍କ ମୁହଁରେ ହସ ଫୁଟାଇବା ଓ ଦୁଃଖୀ ମଣିଷଙ୍କ ହାତ ଧରିବା ହିଁ ପ୍ରକୃତ ସମାଜସେବା। ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ଏହି ମାନବୀୟ ପ୍ରୟାସ ସମାଜରେ ସେବା, ସହଯୋଗ ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ବିପନ୍ନଙ୍କ ମନରେ ଆଶାର ନୂଆ ଆଲୋକ ଜଳିଛି।

Also Read

Tags