ପାଦଚଲା ପୋଲର ଆପ୍ରୋଚ୍ଚ ଧୋଇଗଲା, ୩୦୦ରୁ ଅଧିକ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ

Pradeep Kar

ସାନଖେମୁଣ୍ଡି, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଅନ୍ତର୍ଗତ ଟିଟିଖଣ୍ଡି ଗ୍ରାମର ଚାଞ୍ଚଡା ସାହିରେ ନିର୍ମିତ ପାଦଚଲା ପୋଲର ଆପ୍ରୋଚ୍ଚ ରାସ୍ତା ବର୍ଷା ଯୋଗୁଁ ଧୋଇଯିବାରୁ ସ୍ଥାନୀୟ ଲୋକେ ଚରମ ଦୁର୍ଭୋଗର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ୬୦ଟି ପରିବାରର ୩୦୦ରୁ ଅଧିକ ଲୋକଙ୍କ ଯାତାୟାତର ଏକମାତ୍ର ଭରସା ଥିବା ଏହି ପୋଲ ବର୍ତ୍ତମାନ ବିପଦଜନକ ଅବସ୍ଥାରେ ରହିଛି। ଗ୍ରାମବାସୀ ତୁରନ୍ତ ମରାମତି ଦାବି କରିଥିବା ବେଳେ ଜଳସେଚନ ବିଭାଗ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଆଶ୍ୱାସନ ଦେଇଛି।ସୂଚନା ଅନୁଯାୟୀ, ଚାଞ୍ଚଡା ସାହିର ଲୋକଙ୍କ ଯାତାୟାତ ସୁବିଧା ପାଇଁ ପ୍ରାୟ ଏକ ବର୍ଷ ପୂର୍ବେ ଗ୍ରାମ ମଧ୍ୟ ଦେଇ ପ୍ରବାହିତ କେନାଲ ଉପରେ ଜଳସେଚନ ବିଭାଗ ପକ୍ଷରୁ ଏକ ପାଦଚଲା ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲ ମାଧ୍ୟମରେ ଗ୍ରାମବାସୀ ସ୍କୁଲ, ଚାଷଜମି ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଯାତାୟାତ କରୁଥିଲେ।କିନ୍ତୁ ଲଗାଣ ବର୍ଷା ପ୍ରଭାବରେ ପୋଲର ଗୋଟିଏ ପାର୍ଶ୍ୱର ଆପ୍ରୋଚ୍ଚ ରାସ୍ତାର ମାଟି ଧୋଇଯାଇ ବଡ଼ ଗାତ ସୃଷ୍ଟି ହୋଇଛି। ଫଳରେ ପୋଲ ଉପରେ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ବିଶେଷକରି ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, ବୃଦ୍ଧ ଓ ମହିଳାମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ପୋଲ ଅତିକ୍ରମ କରୁଛନ୍ତି।ପୋଲଟି ବ୍ୟବହାର ଅଯୋଗ୍ୟ ହୋଇପଡ଼ିଲେ ଗ୍ରାମବାସୀଙ୍କୁ ପ୍ରାୟ ୩ କିଲୋମିଟର ବୁଲି ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ପଡ଼ୁଛି। ତେଣୁ କ୍ଷତିଗ୍ରସ୍ତ ଆପ୍ରୋଚ୍ଚ ରାସ୍ତାର ତୁରନ୍ତ ମରାମତି କରି ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏନେଇ ଜଳସେଚନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ୟା ସେମାନଙ୍କ ନଜରକୁ ଆସିଛି ଏବଂ ଯଥାଶୀଘ୍ର କ୍ଷତିଗ୍ରସ୍ତ ଆପ୍ରୋଚ୍ଚର ମରାମତି କାମ ଆରମ୍ଭ କରାଯିବ। ତେବେ କେବେ ସମସ୍ୟାର ସ୍ଥାୟୀ ସମାଧାନ ହେବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅପେକ୍ଷା ଜାରି ରହିଛି।

Also Read

Tags