ନିର୍ମଳଝରରେ ପାଇପ୍ ଯୋଗେ ଜଳଯୋଗାଣର ବ୍ୟାପକ ଅନିୟମିତତା..

Pradeep Kar

ଖଲ୍ଲିକୋଟ:ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧୀନସ୍ଥ ନିର୍ମଳଝରସ୍ଥ ଗଡକସ୍ତା-କ, ମଧୁପଲ୍ଲୀ, କନ୍ଧ ସାହି, ଶୈଳ ଶ୍ରୀ ବିହାର ଅଞ୍ଚଳରେ ବର୍ଷ ବର୍ଷ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଇପ୍ ଯୋଗେ ଜଳଯୋଗାଣ ପ୍ରହସନରେ ପରିଣତ ହୋଇଛି । ବର୍ଷର ଅଧିକାଂଶ ସମୟ ଜଳଯୋଗାଣ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ପ୍ରଚଣ୍ଡ ତାତିରେ ଉତ୍କଟ ଜଳ କଷ୍ଟ ଭୋଗିଆସୁଛନ୍ତି । ଏସମ୍ପର୍କରେ ଜଳ ଯୋଗାଣ ବିଭାଗ ଯନ୍ତୀଙ୍କୁ ପଚାରିଲେ କୈ।ଣସି ପ୍ରକାର ସୁଫଳ ମିଳୁନାହିଁ । କେବଳ ସେତିକି ନୁହେଁ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଯୋଗାଯୋଗ କଲେ ମଧ୍ୟ ଜଳଯୋଗାଣ ସ୍ୱାଭାବିକ ହୋଇପାରି ନାହିଁ । ପ୍ରତ୍ୟେକ ମାସରେ ସଠିକ୍ ଜଳଯୋଗାଣ ହେଉନାହିଁ । ପାଇପ୍ ଫାଟିଛି ସଫେଇ ଦେଉଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କେଉଁ ସମସ୍ୟା ଯୋଗୁଁ ଜଳଯୋଗାଣ ହେଉନାହିଁ, ତାହା ସମସ୍ତଙ୍କୁ ଚକିତ କରିଛି । ଅନ୍ୟ ପକ୍ଷରେ ସପ୍ତାହରେ ଦିନେ ଦୁଇଦିନ ଅଧ ଘଣ୍ଟାଏ କିମ୍ବା ଘଣ୍ଟାଏ ଜଳ ଯୋଗାଣ କରି ଅନ୍ୟ ଦିନ ଯୋଗାଣ ବନ୍ଦ କରୁଥିବାରୁ ଅଞ୍ଚଳର ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ନିରୂପାୟ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏ ବିଷୟ ନେଇ ଏସ.ଡି.ଓ. ଙ୍କ ସହିତ ଯୋଗାଯୋଗ କରିଥିଲେ ବି ନିର୍ମଳଝର ବାସୀ ପାନୀୟ ଜଳ ଭଳି ଗୁରୁତର ମୌଳିକ ସମସ୍ୟାରୁ ବଂଚିତ ହେଉଛନ୍ତି । ପ୍ରକାଶ ଥାଉ କି ନିର୍ମଳଝର ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ହେଁ ଅଞ୍ଚଳବାସୀ ପାନୀୟ ଜଳ କଷ୍ଟ ଭୋଗିବା ଘଟଣାରୁ ଅଞ୍ଚଳର ବିକାଶ ଲୋକଲୋଚନକୁ ଆସିଛି । ସମ୍ପୃକ୍ତ ବିଭାଗ, ବିଭାଗୀୟ ଅଧିକାରୀ ତୁରନ୍ତ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନକଲେ ଅଞ୍ଚଳବାସୀ ନିର୍ମଳଝର ମୁଖ୍ୟ ରାସ୍ତା, ଯାହାକି ଆସିକା ଭୁବନେଶ୍ୱର ଯାତାୟାତ ରାସ୍ତାକୁ ହାଣ୍ଡି ମାଠିଆ ଧରି ଶହ ଶହ ମହିଳା ପୁରୁଷ ଅବରୋଧ କରିବାକୁ ଦୃଢ ଚେତାବନୀ ଦେଇଛନ୍ତି ।

Also Read

Tags