ବ୍ରହ୍ମପୁର ନଗର ମହାବିଦ୍ୟାଳୟ ଇତିହାସ ବିଭାଗ ଜାତୀୟ ପାଠଚକ୍ର ଉଦ୍-ଯାପିତ

Pradeep Kar

ବ୍ରହ୍ମପୁର, 0୬l0୭ : ଓଡ଼ିଶାର ଦକ୍ଷିଣାଞ୍ଚଳ ବିବିଧ ପାରମ୍ପରିକ ଜ୍ଞାନ-ବିଜ୍ଞାନର ଏକ ସମୃଦ୍ଧ ଭୂଖଣ୍ଡ l କୃଷି, ଜଳସେଚନ, ଲୋକଵିଦ୍ୟା, ଆୟୁର୍ବେଦ, ନୌ-ବାଣିଜ୍ୟ, ପ୍ରଦର୍ଶନଶୀଳ କଳା ଓ ଭାଷା-ସାହିତ୍ୟ କ୍ଷେତ୍ରରେ ଦକ୍ଷିଣାଞ୍ଚଳର ଜ୍ଞାନଧାରା ଭାରତୀୟ ଜ୍ଞାନ ପରମ୍ପରାକୁ ନାନା ଦିଗରୁ ପରିପୁଷ୍ଟ କରିଛି ବୋଲି ଖ୍ୟାତିପ୍ରାପ୍ତ ଇତିହାସବିଦ୍ ତଥା ରାଉରକେଲା ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ପ୍ରାକ୍ତନ ସହଯୋଗୀ ପ୍ରଫେସର୍ ଡ. ପ୍ରଭାତ କୁମାର ମଲ୍ଲିକ ମତବ୍ୟକ୍ତ କରିଛନ୍ତି l ଭାରତୀୟ ଐତିହାସିକ ଗବେଷଣା ପରିଷଦ (ଆଇ.ସି.ଏଚ୍.ଆର୍.) ଆର୍ଥିକ ଅନୁଦାନରେ ବ୍ରହ୍ମପୁର ନଗର ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆଜି ଅପରାହ୍ଣରେ ଅନୁଷ୍ଠିତ ‘ଭାରତୀୟ ସ୍ୱକୀୟ ଜ୍ଞାନଧାରାକୁ ଦକ୍ଷିଣାଞ୍ଚଳର ଦାନ’ ଶୀର୍ଷକ ଦ୍ବି-ଦିବସୀୟ ଜାତୀୟ ପାଠଚକ୍ରର ଉଦ୍-ଯାପନୀ ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଡ. ମଲ୍ଲିକ ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ କନ୍ଧମାଳ ଜିଲ୍ଲାର ନିଜସ୍ୱ ପାରମ୍ପରିକ ଜ୍ଞାନଧାରା ସଂପର୍କରେ ବିସ୍ତାରିତ ବ୍ୟାଖ୍ୟା କରିବା ସହ ପାଇକ ଖେଦା ଓ ଉପେନ୍ଦ୍ର ଭଞ୍ଜ କାବ୍ୟାବଳୀରୁ ନାନା ଦୃଷ୍ଟାନ୍ତ ଉଦ୍ଧାର ପୂର୍ବକ ଆଲୋଚନା କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ଲକ୍ଷ୍ମୀ ନାରାୟଣ ରାଉତ ମୁଖ୍ୟଅତିଥି ରୂପେ ଦକ୍ଷିଣାଞ୍ଚଳର ନୌ-ବାଣିଜ୍ୟ ପରମ୍ପରା, ବସ୍ତ୍ର ପ୍ରସ୍ତୁତି କୌଶଳ, ଖାଦ୍ୟ ପ୍ରସ୍ତୁତିରେ ସ୍ୱତନ୍ତ୍ରତା ବିଷୟ ଉଲ୍ଲେଖ ପୂର୍ବକ ମୂଳ ତଥ୍ୟକୁ ଆଧାର କରି ଇତିହାସର ଗବେଷଣା ହେବା ଉଚିତ୍ ବୋଲି କହିଥିଲେ l ସୁଖ୍ୟାତ କବି-ସମାଲୋଚକ ଡକ୍ଟର୍ କୁଳମଣି ଓଝା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ପ୍ରାଚୀନ ଜନଜାତିମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପ୍ରତିଫଳିତ ବିବିଧ ଜ୍ଞାନଧାରାର ବିଶ୍ଳେଷଣ ପୂର୍ବକ ଦକ୍ଷିଣାଞ୍ଚଳର ପ୍ରଥମ ଅଭିଧାନ ପ୍ରଣୟନ, ସମାଲୋଚନା ସାହିତ୍ୟ, କାବ୍ୟ ସର୍ଜନା ଓ ତୁଳନାତ୍ମକ ସାହିତ୍ୟ ଚର୍ଚ୍ଚା ସଂପର୍କରେ ଆଲୋକପାତ କରିଥିଲେ l ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର୍ ନାରାୟଣ ବେହେରା ସମ୍ମାନିତ ଅତିଥି ରୂପେ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପାରମ୍ପରିକ ଜ୍ଞାନ କୌଶଳର ବିଶେଷତା ଓ ଉପଯୋଗିତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର୍ ଅଞ୍ଜଳି ପାତ୍ର ଏହି ଉତ୍ସବରେ ପୌରୋହିତ୍ୟ କରିବା ସହ ଏହି ଦ୍ବି-ଦିବସୀୟ ଜାତୀୟ ପାଠଚକ୍ରର ନିଷ୍କର୍ଷ ଓ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଥିଲେ l ଇତିହାସ ବିଭାଗ ମୁଖ୍ୟା ତଥା ପାଠଚକ୍ରର ସଂଯୋଜିକା ଡ. ମିନତି ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଉଦ୍-ଯାପନୀ ଉତ୍ସବରେ ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁଜିତ୍ କୁମାର ପଣ୍ଡାଙ୍କୁ ଶ୍ରେଷ୍ଠ ପ୍ରବନ୍ଧ ଉପସ୍ଥାପକ ରୂପେ ପୁରସ୍କୃତ କରାଯାଇଥିଲା l ବିଭିନ୍ନ ବୈଷୟିକ ଅଧିବେଶନର ପ୍ରବନ୍ଧ ଉପସ୍ଥାପନା କରିଥିବା ପ୍ରାବନ୍ଧିକମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ଇତିହାସ ବିଭାଗ ଅଧ୍ୟାପିକା ଡ. ବନ୍ଦିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଆଜି ପୂର୍ବାହ୍ଣରେ ଆୟୋଜିତ ତୃତୀୟ ଓ ଚତୁର୍ଥ ବୈଷୟିକ ଅଧିବେଶନରେ ଯଥାକ୍ରମେ ପ୍ରଫେସର୍ ଶିବପ୍ରସାଦ ଦାଶ ଓ ଡ. ରାଜେନ୍ଦ୍ର ପ୍ରସାଦ ବିଷୋୟୀ ସଭାପତିତ୍ବ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ସହକାରୀ ପ୍ରଫେସର୍ ଡ. ଶଙ୍କର୍ଷଣ ମଲ୍ଲିକ ରାପୋର୍ଟିୟର୍ ରୂପେ ପଠିତ ପ୍ରବନ୍ଧଗୁଡ଼ିକର ସମୀକ୍ଷା କରିଥିଲେ l ଏ ଦୁଇ ଅଧିବେଶନରେ ଡ. ପ୍ରମୋଦ କୁମାର ପଣ୍ଡା, ଡ. ସୁଜିତ୍ କୁମାର ପଣ୍ଡା, ଡ. ମାଧୁରୀ ପଣ୍ଡା, ଡ. ନମ୍ରତା ରଥ, ସହକାରୀ ପ୍ରଫେସର୍ ସୁଶାନ୍ତ ଦାସ, ଡ. ମିନତି ସାହୁଙ୍କ ସମେତ ୧0 ଜଣ ପ୍ରବନ୍ଧ ଉପସ୍ଥାପକ ପ୍ରବନ୍ଧପାଠ କରିଥିଲେ l

Also Read

Tags