କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ସରଗରମ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି। ଏନେଇ ଭବାନୀପାଟଣାର ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସର ପ୍ରାଥମିକ ତଦନ୍ତ ଓ ଆତ୍ମହତ୍ୟା ନିଷ୍କର୍ଷ ଉପରେ ପ୍ରଶ୍ନ ଉଠାଇଛି ଦଳ। ଏଥିସହ ଜିଲ୍ଲାରେ ବଢ଼ୁଥିବା ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି।କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ୨୧ ବର୍ଷୀୟ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ଅଞ୍ଚଳର ୧୭ ବର୍ଷୀୟା ପ୍ରିୟଦର୍ଶିନୀ ନାଏକଙ୍କ ମୃତଦେହ ବେହେରା ଗ୍ରାମ ନିକଟସ୍ଥ ଭଣରାଡଙ୍ଗରୀ ପାହାଡ଼ରେ ଏକ ଗଛରୁ ଉଦ୍ଧାର ହୋଇଥିଲା। ପୋଲିସ ପ୍ରାଥମିକ ତଦନ୍ତ ଓ ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଏହାକୁ ଆତ୍ମହତ୍ୟା ବୋଲି କହିଥିବାବେଳେ ମୃତ ଯୁବକଙ୍କ ପରିବାର ଏହା ଯୋଜନାବଦ୍ଧ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।ଏହି ଘଟଣାର ସମସ୍ତ ଦିଗକୁ ନେଇ ନିରପେକ୍ଷ ତଦନ୍ତ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଯୁବ ବିଜେଡି ଦାବି କରିଛି।ଏଥିସହ ନଭେମ୍ବର ୫ ତାରିଖରେ ଲଡୁଗାଁ-ସୁପାଡ଼ ରାସ୍ତାକଡ଼ ଚାଷଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଏବଂ ନଭେମ୍ବର ୨ ତାରିଖରୁ କେଗାଁ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ ନିଖୋଜ ଘଟଣାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛି ଦଳ।ସୂଚନା ଅଧିକାର ତଥ୍ୟ ଅନୁସାରେ ଗତ ୨୮ ମାସରେ ଜିଲ୍ଲାରେ ୭୨ଟି ହତ୍ୟା ଓ ୨୩୪ ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ଦାବି କରି ଅପରାଧ ନିୟନ୍ତ୍ରଣ, ରାତ୍ରିକାଳୀନ ପାଟ୍ରୋଲିଂ ଓ ପୋଲିସ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଯୁବ ବିଜେଡି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ରାଜ୍ୟ ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଯୁବ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କୋକସରା ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି, ଯୁବ ବିଜେଡିର ସାମ୍ବାଦିକ ସମ୍ମିଳନୀ





