କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ବ୍ଲକ ଅର୍ତଲ ଗ୍ରାମ ପଞ୍ଚାୟତର କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣ କରାଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅର୍ତଲ ପଞ୍ଚାୟତର ଶତାଧିକ ମହିଳା ଓ ଗ୍ରାମବାସୀ ଏକଜୁଟ ହୋଇ ଏହି ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଏହି ନୂତନ ମଦଭାଟି ଅନୁମତିକୁ ଶୀଘ୍ର ବାତିଲ କରା ନଯାଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ବାରମ୍ୱାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗାଁରୁ ମଦଭାଟି ହଟାଇବାକୁ ଅଣ୍ଟା ଭିଡିଛନ୍ତି ଅଞ୍ଚଳବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଅର୍ତଲ ପଞ୍ଚାୟତର କେନ୍ଦୁପାଟି କୁଲେରଗୁଡ଼ାଠାରେ ପୂର୍ବରୁ ମଦଭାଟି ରହିଛି ଏବଂ ସେଠାରୁ ପଲନା ପଞ୍ଚାୟତର ଲୋକଙ୍କୁ ମଦ ଯୋଗାଇ ଦିଆଯାଉଛି। କିନ୍ତୁ ବର୍ତ୍ତମାନ କାନ୍ଦୁଲଝର ଗ୍ରାମର ଶେଷଭାଗ ତଥା ଅର୍ତଲ ହସ୍ପିଟାଲ ଛକ ନିକଟରେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଜମି କିଣି ସେଠାରେ ମଦ ପ୍ରସ୍ତୁତି ଏବଂ ବିକ୍ରି ପାଇଁ ପକ୍କା ଘର ନିର୍ମାଣ କରୁଛନ୍ତି। ଛାତ୍ରଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ବେଳେ,ଏଠାକାର ସାମାଜିକ ପରିବେଶକୁ ସୁରକ୍ଷିତ ରଖିବାକୁ ତୁରନ୍ତ ମଦଭାଟି ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହି ରାସ୍ତାଦେଇ ଦୈନନ୍ଦିନ ଅର୍ତଲ ହାଇସ୍କୁଲ, ବୋର୍ଡ଼ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ଯାତାୟାତ କରିଥାନ୍ତି। ଏପରି ଏକ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା କଡ଼ରେ ମଦ ଦୋକାନ କରାଗଲେ ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କ ସୁରକ୍ଷା ପ୍ରତି ବଡ଼ଧରଣର ବିପଦ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକେ ଗଭୀର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ତୁରନ୍ତ ହସ୍ତକ୍ଷେପ କରି କାନ୍ଦୁଲଝରରେ ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ବନ୍ଦ କରାନଗଲେ ଆଗାମୀ ଦିନରେ ରାଜ ରାସ୍ତା ରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
କାନ୍ଦୁଲଝର ଗାଁରେ ନୂତନ ମଦ ଭାଟି ନିର୍ମାଣକୁ ଦୃଢ଼ ବିରୋଧ। ଅବକାରୀ ବିଭାଗକୁ ଦୃଷ୍ଟି ଆକର୍ଷଣ





