ସୁଲେଖିକା ଡକ୍ଟର୍ ମମତା ଦାସଙ୍କ ପ୍ରବନ୍ଧ ସଂକଳନ ‘ଲୀଳାକମଳପତ୍ରାଣି’ର ପାଠ ଲୋକାର୍ପଣ

Pradeep Kar

ଭୁବନେଶ୍ୱର, ୧୧l0୭ : ଭାରତୀୟ ଜ୍ଞାନ ପରମ୍ପରାକୁ ପୁନରୁଜ୍ଜୀବିତ କରିବା ଦିଗରେ ବର୍ତ୍ତମାନର ନୂତନ ଶିକ୍ଷା ବ୍ୟବସ୍ଥାରେ ବିଶେଷ ପ୍ରାଧାନ୍ୟ ଦିଆଯାଉଛି l ଭାରତୀୟ ମୌଳିକ ଜ୍ଞାନ ବିଜ୍ଞାନର ନବମୂଲ୍ୟାୟନ ବର୍ତ୍ତମାନ ସମୟର ଆହ୍ୱାନ ଓ ଆବଶ୍ୟକତା l ଏହି ପ୍ରେକ୍ଷାପଟରେ ସୁଲେଖିକା ଡ. ମମତା ଦାସଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ସଂକଳନ ‘ଲୀଳାକମଳପତ୍ରାଣି’ ବିଶେଷ ମହତ୍ତ୍ୱ ରଖେ ବୋଲି ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍ ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି l ରାଜ୍ୟର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ‘ଲୀଳାକମଳପତ୍ରାଣି’ ପ୍ରବନ୍ଧ ପୁସ୍ତକ ଲୋକାର୍ପଣ I ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଫେସର୍ ମିଶ୍ର ଲେଖିକାଙ୍କ ନିରୀକ୍ଷା ଦୃଷ୍ଟି ଓ ପ୍ରାଚ୍ୟବିଦ୍ୟା ଅନୁରାଗର ପ୍ରଶଂସା କରିଥିଲେ l ପ୍ରାରମ୍ଭରେ ଭାରତବର୍ଷର ଖ୍ୟାତିପ୍ରାପ୍ତ ଭାଷାତତ୍ତ୍ୱବିଦ୍ ପଦ୍ମଶ୍ରୀ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ରୂପେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଲେଖିକା ଡ. ମମତା ଦାସଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ l ଏହି ଅବସରରେ ଡ. ମମତା ଦାସଙ୍କ ଲିଖିତ ୩0ଟି ପ୍ରବନ୍ଧର ସମାହାର ‘ଲୀଳାକମଳପତ୍ରାଣି’ ପୁସ୍ତକ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ପ୍ରାକ୍ତନ ଉପସଚିବ ଡକ୍ଟର୍ କୁଳମଣି ଓଝା ମୁଖ୍ୟବକ୍ତା ରୂପେ ‘ଲୀଳାକମଳାପତ୍ରାଣି’ ପୁସ୍ତକର ଆମୂଳାନ୍ତ ସମୀକ୍ଷା କରିଥିଲେ l ପ୍ରାଚ୍ୟ ଜ୍ଞାନଧାରାରେ ପର୍ଯ୍ୟାବରଣ, ରାଷ୍ଟ୍ରୀୟତା, ଗଣେଶ ସୃଷ୍ଟି ରହସ୍ୟ ଓ ରୂପ କଳ୍ପନା, ସନାତନ ଜୀବନ ଦର୍ଶନ ଓ ଅବକ୍ଷୟିଷ୍ଣୁ ସମାଜ, ଜାତୀୟ ମୁକ୍ତି ସଂଗ୍ରାମରେ ଗୀତାର ଭୂମିକା ଆଦି ୩0ଟି ପ୍ରସଙ୍ଗ ଭିତ୍ତିକ ପ୍ରବନ୍ଧର ଅନ୍ତଃସ୍ୱର ଓ ଭାଷା ପ୍ରକରଣ ସମ୍ବନ୍ଧରେ ଡ. ଓଝା ସବିଶେଷ ସମୀକ୍ଷା କରିଥିଲେ l ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସଂସ୍କୃତ ବିଭାଗ ପ୍ରଫେସର୍ ଗୋପାଳକୃଷ୍ଣ ଦାଶ ଏହି ଉତ୍ସବରେ ପୌରୋହିତ୍ୟ କରିବା ସଂଗେ ସଂଗେ ଭାରତୀୟ ସମୀକ୍ଷା ଧାରାର ପାଞ୍ଚ ସୋପାନ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ‘ଲୀଳାକମଳପତ୍ରାଣି’ ସେ ଦୃଷ୍ଟିରୁ ଏକ ଉତ୍କୃଷ୍ଟ ଆଲୋଚନା ଗ୍ରନ୍ଥ ବୋଲି କହିଥିଲେ l ଲେଖିକା ଡ. ମମତା ଦାସ ତାଙ୍କ ବକ୍ତବ୍ୟରେ ସ୍ୱକୀୟ ସାରସ୍ୱତ ଜୀବନକୁ ଗଢ଼ିଥିବା ପିତାମାତା ଓ ଗୁରୁମାନଙ୍କ ଅବଦାନ ସ୍ମରଣ ପୂର୍ବକ ‘ଲୀଳାକମଳପତ୍ରାଣି’ ପ୍ରବନ୍ଧ ରଚନାର ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ନାରାୟଣ ମହାପାତ୍ର, ମନ୍ମଥ ଶତପଥୀ, ଡ. ରବୀନ୍ଦ୍ର ନାଥ ମିଶ୍ର ଡ. ଅଜୟ ପଟ୍ଟନାୟକ, ଡ. ଶାନ୍ତନୁ କୁମାର ରଥ, ରମେଶ ପଟ୍ଟନାୟକ ପ୍ରମୁଖ ଲୋକାର୍ପିତ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ l ଡ. ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପିକା ଡ. ସଂଘମିତ୍ରା ମହାପାତ୍ର ଉତ୍ସବର ସଂଯୋଜନା କରିଥିଲେ ଏବଂ ଶେଷରେ ଏଥେନା ବୁକ୍ସର ସ୍ୱତ୍ୱାଧିକାରୀ କବି ଓ କଥାକାର ରାଜକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags