ବ୍ରହ୍ମପୁର – ବୃହତ୍ତ ବ୍ରହ୍ମପୁର ମହାନଗର ନିଗମରେ ଲାଗିରହିଥିବା ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଓ ତଦ୍ ଜନିତ ସମସ୍ୟା ଯୋଗୁଁ ନାଗରିକ ମାନେ ମୌଳିକ ସୁବିଧା ପାଇବାରେ ଭୋଗୁଥିବା ଅସୁବିଧା ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର , ଆଇଏଏସଙ୍କୁ ଏକ ପତ୍ର ମାଧ୍ଯମରେ ଅବଗତ କରାଯାଇ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ଏତଦ୍ ବ୍ୟତୀତ ସ୍ମାରକପତ୍ରରେ ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା ପ୍ରଚଳନ ନେଇ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଆରଡିସି ଙ୍କୁ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଗ୍ରହ କରାଯାଇଥିଲା। ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବୀ ପତ୍ରକୁ ଆଧାର କରି ଆରଡିସି ଙ୍କ ତରଫରୁ ତାଙ୍କ ସଚିବ ବିରସେନ ପ୍ରଧାନ, ଓଏଏସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି। ମାନନୀୟ ଆରଡିସି ଚିଠି ନମ୍ବର ୬୨୧ ତା ୨୩/୬/୨୦୨୬ରେ ବୃହତ୍ ବ୍ରହ୍ମପୁର ମହାନଗର ନିଗମର ସୁଚାରୁରୂପେ ଦୈନଦିନ କାର୍ଯ୍ଯ ଓ ଯୋଜନା କାର୍ଯ୍ୟକାରୀ ସକାଶେ ତୁରନ୍ତ ନିଗମରେ ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, ମହାନଗର ନିମନ୍ତେ ମ୍ୟାଚିଙ୍ଗ ଗ୍ରାଣ୍ଟ ଏଵଂ ଆର୍ଥିକ ଅନୁଦାନ ଵୃଦ୍ଧି, ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା କାର୍ଯ୍ୟକାରୀ ତଥା ନାଗରିକଙ୍କ ମୌଳିକ ଅଧିକାର ଓ ସୁଵିଧାକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି କରିଥିବା ଦାବୀ ଓ ଆବେଦନ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହିତ ଏହାର ଅନୁମୋଦନ ଓ କାର୍ଯ୍ୟକାରିତା ନେଇ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି। ଏଠାରେ ସୂଚାନା ଯୋଗ୍ୟ ଯେ ଗତ ୧୩/୬/୨୦୨୬ରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରଡିସିଙ୍କୁ ପତ୍ର ଲେଖି ପ୍ରଶାସନରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ, ଗୁରୁତ୍ତ୍ୱପୂର୍ଣ, ପଦବୀ ଖାଲି ଓ ଅତିରିକ୍ତ ଦାୟିତ୍ୱରେ ଚାଲିଥିବା, ଫାଇଲ ଚଳାଚଳ ଓ ନାଗରିକ ସେଵା ବାଧାପ୍ରାପ୍ତ, ବୃହତ ବିଏମସି ସମ୍ପ୍ରସାରଣ ଅଧିନରେ ବିକାଶ କାର୍ଯ୍ଯ ଧିମା, ଜନକଲ୍ୟାଣ ଯୋଜନା ଓ କାର୍ଯ୍ୟ ଠିକ୍ ସମୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ହାସଲ ନାହେଇପାରିବା ଆଦି ନେଇ ଅବଗତ କରାଯାଇଥିଲା। ସେହିପରି ମହାନଗର ନିଗମରେ ବର୍ଦ୍ଧିତ ଅଞ୍ଚଳ ନିମନ୍ତେ ପର୍ଯ୍ୟାପ୍ତ ଆଇଏଏସ ଓ ଓଏଏସ ଅଧିକାରୀ ଅବିଳମ୍ବେ ନିଯୁକ୍ତି, ବୃହତ୍ ବିଏମସି ପାଇଁ ସରକାରଙ୍କ ମ୍ୟାଚିଙ୍ଗ ଗ୍ରାଣ୍ଟ ଓ ଆର୍ଥିକ ସହାୟତା ଵୃଦ୍ଧି କରି ନାଗରିକ ଭିତ୍ତିଭୂମି , ଡ୍ରେନେଜ , ପାନୀୟ ଜଳ, ରାସ୍ତା, ପରିମଳ ଓ ଜରୁରୀ ରିଲିଫ ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା କରି ନାଗରିକଙ୍କ ମୌଳିକ ଆବଶ୍ୟକତାର ପୂରଣରେ ସହାୟତା କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ରଖାଯାଇଥିଲା। ଅଧିକନ୍ତୁ ସୁରକ୍ଷା ଓ ବିନିଯୋଗ ଆତ୍ମବିଶ୍ୱାସ ନିମନ୍ତେ ବୃହତ୍ ବ୍ରହ୍ମପୁରକୁ ଉତ୍ସର୍ଗୀକୃତ ପୋଲିସ୍ ବ୍ୟବସ୍ଥାର ଆବଶ୍ୟକତା ଥିବାରୁ ତୁରନ୍ତ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ପଦକ୍ଷେପ ନେବା ନିମନ୍ତେ ଆରଡିସିଙ୍କ ଠାରେ ପ୍ରସ୍ତାବ ରଖାଯାଇଥିଲା। ଏଥିପୂର୍ବରୁ ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବୀ ଉପରେ ମାନ୍ୟବର ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ମୂଖ୍ୟ ଶାସନ ସଚିବଙ୍କୁ ଚଠି ନମ୍ବର୍ ୨୬୬ ତା ୧୧/୩/୨୦୨୬ ରେ ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ସୁପାରିଶ କରିଥିଲେ ଯାହା ବର୍ତ୍ତମାନ ମୂଖ୍ୟ ଶାସନ ସଚିବଙ୍କ ଠାରୁ ଗୃହ ସଚିବଙ୍କ ଦେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ନିମନ୍ତେ ଯାଇଛି। ବ୍ରହ୍ମର ଭୂମି ବ୍ରହ୍ମପୁରକୁ ଏକ ବିକଶିତ, ସମୃଦ୍ଧଶାଳି, ଉନ୍ନତ ତଥା ଏକ ଶକ୍ତିଶାଳି ଆଦର୍ଶ ସହରରେ ପରିଣତ କରି ବିକଶିତ ଓଡ଼ିଶା ଗଠନରେ ସହାୟକ ହେବାକୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରି ଆରଡିସିଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ତତ୍ପରତା ପ୍ରକାଶ କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି।




