ବ୍ରହ୍ମପୁର / ଭୁବନେଶ୍ୱର ତାରିଖ: ୨୫ ଅଗଷ୍ଟ ୨୦୨୬ ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଆର୍ ଏଣ୍ଡ ଆର୍ ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଗସ୍ତକୁ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାଗତ; ସେନା ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ନିମନ୍ତେ ଚିଠି ଆସନ୍ତା ୨୭ ଅଗଷ୍ଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ଏବଂ ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ଥିବା ନୂଆ ଗୋଳାବନ୍ଧ ତଥା ଛେଳିଗଡ଼ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନଙ୍କୁ ଥଇଥାନ (R&R) ପ୍ୟାକେଜ୍ ଓ ଜମି ପଟ୍ଟା (RoR) ପ୍ରଦାନ ନିଷ୍ପତ୍ତିକୁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ, ଗୋଳାବନ୍ଧ ସେନା ଛାଉଣୀ (AAD Centre) ସଂଲଗ୍ନ ବିଭିନ୍ନ ପଞ୍ଚାୟତର ବହୁବର୍ଷର ଜମି ଓ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଅନୁରୋଧ କରିଛନ୍ତି। ପ୍ରେସ୍ ବିବୃତିର ମୁଖ୍ୟାଂଶ:ଐତିହାସିକ ପଦକ୍ଷେପ: ଦଶନ୍ଧି ଦଶନ୍ଧି ଧରି ଅଧିକାରରୁ ବଞ୍ଚିତ ହୋଇ ରହିଥିବା ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ହକ୍ ଓ ସ୍ୱତ୍ୱାଧିକାର ପ୍ରଦାନ କରିବା ସରକାରଙ୍କ ଜନକଲ୍ୟାଣକାରୀ ଆଭିମୁଖ୍ୟର ଏକ ଉଜ୍ଜ୍ୱଳ ଉଦାହରଣ। ପ୍ରଭାବିତ ପଞ୍ଚାୟତଗୁଡ଼ିକର ସମସ୍ୟା : ଗୋଳାବନ୍ଧ, କମଳାପୁର, ବକ୍ସିପାଲ୍ଲୀ ଓ ହାତୀପଦା ଗ୍ରାମ ପଞ୍ଚାୟତ ତଥା ନିକଟବର୍ତ୍ତୀ ବ୍ରହ୍ମପୁର ସହରାଞ୍ଚଳବାସୀ ଦୀର୍ଘ ବର୍ଷ ଧରି ସେନା ପ୍ରତିଷ୍ଠାନ ସହିତ ଜମି ସୀମା ନିର୍ଦ୍ଧାରଣ ଓ ଯାତାୟାତ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟିସିପି ନଂ-୧ ରୁ ଟିସିପି ନଂ-୩ ରାସ୍ତା, ଚନ୍ଦନ ବିହାର/ଭିଆଇପି ନଗର ଦେଇ ମୁଖ୍ୟ ରାସ୍ତା ଏବଂ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ପାରମ୍ପରିକ ରାସ୍ତାରେ ସର୍ବସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସ୍କୁଲ୍ ପିଲା, ରୋଗୀ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ନୂଆ କମଳାପୁର, ବଡ଼ ହାତୀପଦା, ସାନ ହାତୀପଦା ଏବଂ ଗୋଳାବନ୍ଧର ୨୦୦୦ରୁ ଊର୍ଦ୍ଧ୍ୱ ପରିବାର ପିଢ଼ି ପିଢ଼ି ଧରି ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳିପାରି ନାହିଁ। ଏହାସହ ଶ୍ମଶାନ, ଖେଳପଡ଼ିଆ ଓ ଐତିହାସିକ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ରାସ୍ତାର ସମସ୍ୟା ଲାଗିରହିଛି। ଉଚ୍ଚସ୍ତରୀୟ ସମନ୍ୱୟ କମିଟି ଗଠନ ପାଇଁ ପ୍ରସ୍ତାବ I ଏହି ସମସ୍ତ ସମସ୍ୟାର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC)ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସାଂସଦ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ କମିଟିର ସଦସ୍ୟ:ଅଧ୍ୟକ୍ଷ: ରାଜସ୍ୱ କମିଶନର (RDC), ଦକ୍ଷିଣାଞ୍ଚଳ, ବ୍ରହ୍ମପୁରସହ-ଅଧ୍ୟକ୍ଷ: ଷ୍ଟେସନ୍ କମାଣ୍ଡର / ନିର୍ଦ୍ଦେଶିତ ସେନା ଅଧିକାରୀ (AAD Centre, Golabandha)ଆବାହକ: ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମସଦସ୍ୟ: ମାନ୍ୟବର ସାଂସଦ (ବ୍ରହ୍ମପୁର), ମାନ୍ୟବର ବିଧାୟକ (ଗୋପାଳପୁର ଓ ବ୍ରହ୍ମପୁର), ପ୍ରତିରକ୍ଷା ଜମି ଅଧିକାରୀ (DEO), ଉପ-ଜିଲ୍ଲାପାଳ (ବ୍ରହ୍ମପୁର), ସମ୍ପୃକ୍ତ ତହସିଲଦାର ଏବଂ ଗୋଳାବନ୍ଧ, କମଳାପୁର, ବକ୍ସିପାଲ୍ଲୀ ଓ ହାତୀପଦା ପଞ୍ଚାୟତର ସରପଞ୍ଚ ତଥା ଜନପ୍ରତିନିଧି। ଏହି କମିଟି ଯୁଗ୍ମ ଜମି ସର୍ଭେକ୍ଷଣ କରିବା ସହ ରାଜ୍ୟ ସରକାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଆବଶ୍ୟକ ଜମି ବିନିମୟ (Land Exchange) ଓ ଯାତାୟାତ ଅଧିକାର ପାଇଁ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିବ, ଯାହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରରେ ତୁରନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଦୀର୍ଘଦିନର ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ ବୋଲି ସାଂସଦ ଡ. ପାଣିଗ୍ରାହୀ ଦୃଢ଼ ଆଶା ପ୍ରକଟ କରିଛନ୍ତି।
ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଆର୍ ଏଣ୍ଡ ଆର୍ ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ନିମନ୍ତେ ଚିଠି





