ମଞ୍ଚରେ “ସ୍ୱଚ୍ଛ ସହର”, ବିଭିନ୍ନ ୱାର୍ଡର ଗଳିକନ୍ଦିରେ ଆବର୍ଜନା

Pradeep Kar

ବ୍ରହ୍ମପୁର/ଆସ୍କା, ୩୦/୮: ସୋମବାର ଦିନ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେବ। ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଆବର୍ଜନାମୁକ୍ତ କରିବାର ନାରା ମଧ୍ୟରେ ଆସ୍କା ପୌରପରିଷଦର ପ୍ରକୃତ ସ୍ୱଚ୍ଛତା ବ୍ୟବସ୍ଥା ଏବେ ପ୍ରଶ୍ନର ସମ୍ମୁଖୀନ। ସହରର ପ୍ରମୁଖ ରାସ୍ତା ଓ ଉତ୍ସବସ୍ଥଳକୁ ସଜାଇବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ୱାର୍ଡର ଗଳିକନ୍ଦିରେ ଦିନ ଦିନ ଧରି ଆବର୍ଜନା ପଡ଼ି ରହିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରଶ୍ନ ହେଉଛି, ସହରର ସ୍ୱଚ୍ଛତା ବ୍ୟବସ୍ଥାର ଦାୟିତ୍ୱ କାହାର? ଆବର୍ଜନା ନିୟମିତ ସଂଗ୍ରହ ହେଉନଥିଲେ ଏହାର ତଦାରଖ କରୁଛି କିଏ? ପୌରପରିଷଦର ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କେତେ କାର୍ଯ୍ୟକାରୀ ତାହା ନେଇ ମଧ୍ୟ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟଙ୍କ ଅଭିଯୋଗ ଅନୁଯାୟୀ, ଆବର୍ଜନା ଜମି ରହିବାରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶାମାଛି ବଢ଼ୁଛି। ଏଭଳି ପରିସ୍ଥିତିରେ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ଦୀର୍ଘମିଆଦି ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ। ସହରରେ ଆବର୍ଜନା ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି, ଡମ୍ପିଂ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ସଫେଇ କର୍ମଚାରୀ ନଥିବା ନେଇ ମଧ୍ୟ ଅଭିଯୋଗ ରହିଛି I ସ୍ୱଚ୍ଛତା ସହ ପୌର ଉନ୍ନୟନ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ଅସନ୍ତୋଷ ରହିଛି। ବିଭିନ୍ନ ୱାର୍ଡରେ ରାସ୍ତା ଓ ନାଳ ନିର୍ମାଣରେ ବ୍ୟୟ ହେଉଥିବା ସରକାରୀ ଅର୍ଥର ବାସ୍ତବ ଫଳ କେତେ ମିଳୁଛି, ତାହା ନେଇ ପ୍ରଶ୍ନ ଉଠିଛି। ନୂଆ ରାସ୍ତା ଅଳ୍ପ ସମୟରେ ଖରାପ ହେବା, ପିଚୁ ଉଠିଯିବା ଓ ପେଭର ବ୍ଲକ୍ ଖସିଯିବା ଭଳି ଅଭିଯୋଗର ଯାଞ୍ଚ ହେଉଛି କି ନାହିଁ, ତାହା ମଧ୍ୟ ସାର୍ବଜନୀନ କରିବା ଆବଶ୍ୟକ। ନାଳ ନିର୍ମାଣକୁ ନେଇ ମଧ୍ୟ ସମାନ ଅଭିଯୋଗ। କେତେକ ସ୍ଥାନରେ ନାଳ ନିର୍ମାଣ ହୋଇଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ ଆବଶ୍ୟକ ଆଉଟଲେଟ୍ ନଥିବାରୁ ବର୍ଷା ହେଲେ ଜଳବନ୍ଦୀ ହେଉଥିବା ଅଞ୍ଚଳବାସୀ କହୁଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ, ତେବେ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି କାମର ତଦାରଖ ଓ ଅନୁମୋଦନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ଯାଞ୍ଚ ଆବଶ୍ୟକ। ସରକାରୀ ଅର୍ଥ ଓ ସହରବାସୀଙ୍କ ଟିକସରେ ହେଉଥିବା କାର୍ଯ୍ୟରେ ପୌରପରିଷଦର ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ଜବାବଦେହିତା ରହିବା ସ୍ୱାଭାବିକ। ତେଣୁ କେବଳ ଉତ୍ସବ ପୂର୍ବରୁ ଅସ୍ଥାୟୀ ସଫେଇ ଅଭିଯାନ ନୁହେଁ, ସ୍ୱଚ୍ଛତା ବ୍ୟବସ୍ଥାର ଦୀର୍ଘମିଆଦି ଯୋଜନା, ମାନବସମ୍ବଳ, ଆବର୍ଜନା ପରିଚାଳନା ଓ ଉନ୍ନୟନ ପ୍ରକଳ୍ପର ଗୁଣବତ୍ତା ନେଇ ସ୍ପଷ୍ଟ ତଥ୍ୟ ସହରବାସୀଙ୍କ ସମ୍ମୁଖରେ ରଖିବା ଦାବି ହୋଇଛି। ସ୍ୱାୟତ୍ତ ଶାସନ ଦିବସର ମଞ୍ଚରୁ ସ୍ୱଚ୍ଛ ସହର’ର ନାରା ଦେବା ସହଜ; କିନ୍ତୁ ସହରର ପ୍ରତ୍ୟେକ ଗଳିକନ୍ଦିକୁ ନିୟମିତ ସ୍ୱଚ୍ଛ ରଖିବା ହିଁ ପୌର ପ୍ରଶାସନର ପ୍ରକୃତ ପରୀକ୍ଷା। ତେଣୁ ଆସ୍କା ପୌରପରିଷଦ ଉପରେ ଉଠିଥିବା ସ୍ୱଚ୍ଛତା ଓ ଉନ୍ନୟନ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ଯାଞ୍ଚ, ପ୍ରକଳ୍ପର ଗୁଣବତ୍ତା ପରୀକ୍ଷା ଏବଂ ଆର୍ଥିକ ବ୍ୟୟରେ ପାରଦର୍ଶିତା ନିଶ୍ଚିତ କରିବାକୁ ସହରବାସୀ ଦାବି କରିଛନ୍ତି। ଏହା ସହ ପୌର ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଏହି ଅଭିଯୋଗଗୁଡ଼ିକ ଉପରେ ସ୍ପଷ୍ଟ ପ୍ରତିକ୍ରିୟା ଦେବାକୁ ମଧ୍ୟ ଦାବି ହୋଇଛି।

Also Read

Tags