ନର୍ଲା ଥାନା ଅଞ୍ଚଳରେ ସିରିଜ ଡକାୟତି ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଉପସଭାପତିଙ୍କ ସମେତ ୭ ଜଣ କୋର୍ଟଚାଲାଣ

Pradeep Kar

କଲାହାଣ୍ଡି, ୦୨/୦୮ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୩ ଲକ୍ଷ୍ୟ ୮୫ ହଜାର ଟଙ୍କା, ୭୬୯୦ ଗ୍ରାମ ସୁନା ଓ ଏକାଧିକ ଗାଡ଼ି ଜବତ ନର୍ଲା ଓ ଭବାନୀପାଟଣା ସଦର ଥାନାଞ୍ଚଳରେ ଲଗାତାର ଘଟୁଥିବା ଡକାୟତି ଓ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ନର୍ଲା ପୁଲିସ I ଏକ ଡକାୟତି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିବାବେଳେ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସମସ୍ତଙ୍କୁ ଜେଲ ପଠାଇ ଦେଇଛନ୍ତି I ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଶ୍ୱନାଥପୁର ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ତଥା ସିକେରକୁପା ଗ୍ରାମର ସୁଶାନ୍ତ ଗଉଡ଼ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I ଅନ୍ୟମାନେ ହେଲେ ବଲବସପୁରର ବିକାଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ସାହୁ,କାଉଗୁଡ଼ାର ପ୍ରଶାନ୍ତ କୁମାର ଜାଲ,ଲାଞ୍ଜିଗଡ଼ ରୋଡ଼ର ଦେବାଶିଷ ଗଉଡ଼,ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁରର ଆର୍ଯ୍ୟନ ନାଏକ ଓ ସିକେରକୁପାର ପ୍ରଦୀପ ନାଏକ I ପୁଲିସ ସେମାନଙ୍କଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା, ୭୬୯୦ ଗ୍ରାମ ସୁନା ଓ ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍ ଉଦ୍ଧାର କରିଛି I ଏହାସହ ଡକାୟତିରେ ବ୍ୟବହୃତ ହୋଇଥିବା ହୁଣ୍ଡାଇ ଆଇ-୧୦ କାର, ଏକ ମହିନ୍ଦ୍ରା ଜାଇଲୋ,ୟେଜଦି ମୋଟରସାଇକେଲ ଓ ୯ ଟି ସ୍ମାର୍ଟଫୋନ ଜବତ କରାଯାଇଛି I ସୂଚନା ଅନୁସାରେ,ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ଦିନ ନର୍ଲା ନିକଟସ୍ଥ ଚିପୁଲ ପୋଲ ନିକଟରେ ମୁଖାଧାରୀ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଦୁଇ କର୍ମଚାରୀଙ୍କୁ ଆକ୍ରମଣ କରି ପ୍ରାୟ ୧୮ ରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ I ଘଟଣା ପରେ ନର୍ଲା ଥାନାରେ ମାମଲା ରୁଜୁ ହୋଇଥିଲା I କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ନେତୃତ୍ୱରେ ନର୍ଲା ଥାନାଧିକାରୀ କୈବଲ୍ୟ ସେଠଙ୍କ ସମେତ ପୁଲିସର ଚାରିଟି ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ I ତଦନ୍ତ ବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କ ସମ୍ପର୍କରେ ସୁରାକ ମିଳିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା I ଏନେଇ ନର୍ଲା ଥାନାରେ କେସ୍ ନଂ-୧୬୭/୨୦୨୬,ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୨) ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି I ନର୍ଲା ପୁଲିସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଆୟୋଜିତ ପ୍ରେସମିଟ୍‌ରେ ଏହି ସୂଚନା ଦିଆଯାଇଛି I

Also Read

Tags