ଗଞ୍ଜାମର ପ୍ରସିଦ୍ଧ ତଥା ପାରମ୍ପରିକ ସାଂସ୍କୃତିକ ଦଣ୍ଡନାଚକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ରଜଶ୍ରୀ ସିନେକ୍ରାଫ୍ଟ ପକ୍ଷରୁ ପ୍ରଯୋଜିତ ଏହି ଚଳଚ୍ଚିତ୍ର ରାଜଶ୍ରୀ ସିନେ କ୍ରାଫ୍ଟର ପ୍ରଥମ ଅବଦାନ ବୋଲି ପ୍ରେସ୍ମିଟ୍ରେ ସୂଚନା ଦିଆଯାଇଛି। ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ମହେଶ୍ୱତା ରାୟ ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏଥିସହ ନବାଗତ ଚିତ୍ରସେନ ଘୋଷ ଲିଡ୍ ଆକ୍ଟର ଭାବେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ଦୀର୍ଘ ୪୫ ଦିନର ପରିଶ୍ରମ ପରେ ନିର୍ମିତ ହୋଇଥିବା ‘ଦଣ୍ଡକାଳୀ’ ଆସନ୍ତା ୧୧ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଓଡ଼ିଶାର ପ୍ରାୟ ୧୧୦ଟି ପ୍ରେକ୍ଷାଳୟରେ ଏହି ସିନେମା ମୁକ୍ତିଲାଭ କରିବ ବୋଲି ପ୍ରେସ୍ମିଟ୍ରେ କୁହାଯାଇଛି।ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚର ପରମ୍ପରା, ରୀତିନୀତି ଏବଂ ଏହା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପକୁ ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି। ତେଣୁ ଏହା କେବଳ ଏକ ସିନେମା ନୁହେଁ, ବରଂ ଗଞ୍ଜାମର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବଡ଼ ପରଦାରେ ପହଞ୍ଚାଇବାର ଏକ ପ୍ରୟାସ ବୋଲି କୁହାଯାଇଛି। ସଫଳ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ପ୍ରେମ ଆନନ୍ଦଙ୍କ ସଂଗୀତ ରହିଛି। ପ୍ରେସ୍ମିଟ୍ରେ ଚଳଚ୍ଚିତ୍ରର କଳାକାର ଓ ଟିମ୍ର ସଦସ୍ୟମାନେ ଉପସ୍ଥିତ ରହି ‘ଦଣ୍ଡକାଳୀ’କୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆଶା ପ୍ରକାଶ କରିଥିଲେ।ତେବେ ଗଞ୍ଜାମର ମାଟି, ପରମ୍ପରା ଓ ଦଣ୍ଡନାଚର କାହାଣୀକୁ ନେଇ ପ୍ରସ୍ତୁତ ଏହି ନୂଆ ଓଡ଼ିଆ ସିନେମା ‘ଦଣ୍ଡକାଳୀ’ ଦର୍ଶକଙ୍କ ମନ ଜିତିବାରେ କେତେ ସଫଳ ହେଉଛି, ତାହା ଆସନ୍ତା ୧୧ ସେପ୍ଟେମ୍ବର ପରେ ହିଁ ଜଣାପଡ଼ିବ।
ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚକୁ ଏ ଥର ବଡ ପରଦାରେ‘ଦଣ୍ଡକାଳୀ’





