ବ୍ରହ୍ମପୁର, ୮/୯/୨୬: ବ୍ରହ୍ମପୁର ଅଶୋକ ନଗର ଷଷ୍ଠ ଲାଇନ ଠାରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୯ତମ ପବିତ୍ର ସିଦ୍ଧି ବିନାୟକ ପୂଜା ଉତ୍ସବର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆଜି ପୂଜାର ଶୁଭଖୁଣ୍ଟି ସ୍ଥାପନ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଣେଶ ପୂଜା କମିଟି ସଭାପତି ତଥା ସ୍ଥାନୀୟ ୩୨ ନମ୍ବର ୱାର୍ଡ କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉପଦେଷ୍ଟା ତଥା ବିଶିଷ୍ଟ ଉଦ୍ଘୋଷକ ହୃଷୀକେଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଏ. ଶିବରାମ ପାତ୍ର, ଉପସଭାପତି ଶକ୍ତିଧର ରାଜାଗୁରୁ, ଅଶୋକ କୁମାର ବ୍ରହ୍ମା, ସମ୍ପାଦକ ଶିବରାମ ଚୌଧୁରୀ ଏବଂ କମିଟିର ପୃଷ୍ଠପୋଷକ ତଥା ଆବାହକ ଏ. ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ପୂଜା ଅବସରରେ ୩୨ ନମ୍ବର ୱାର୍ଡରେ ୩୨ ଫୁଟ୍ ଉଚ୍ଚତାର ଶ୍ରୀଗଣେଶଙ୍କ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯିବ। ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ୧୯ତମ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ବ୍ରହ୍ମପୁରର ଲୁକ୍କାୟିତ ପ୍ରତିଭାଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦିନ ବିଭିନ୍ନ ପ୍ରତିଯୋଗିତା ହେବ। ଏଥିପାଇଁ ବହୁ ଉତ୍ସାହୀ କଳାକାର ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଶ୍ରେଷ୍ଠ ବ୍ରହ୍ମପୁର ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏଥିସହ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଆସନ୍ତା ୧୫ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ଟାରେ ପୂଜାର୍ଚ୍ଚନା ଏବଂ ସନ୍ଧ୍ୟାରେ ଛୋଟ ଓ ବଡ଼ ପିଲାମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହେବ। ସେହିପରି ୨୨ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ୨୪ ତାରିଖ ସନ୍ଧ୍ୟା ୫ଟା ୪୬ ମିନିଟ୍ରେ ଗଣେଶ ପୂଜାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା ବେଳେ ୨୫ ତାରିଖରେ କ୍ଷୀରାଭିଷେକ ଓ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଭାରେ ସଭାପତି ସୁରେନ୍ଦ୍ର କୁମାର ମହାରଣା ପୂଜା ଓ ସମସ୍ତ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମ୍ପାଦକ ଶିବରାମ ଚୌଧୁରୀ ଉତ୍ସବର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିବା ବେଳେ ଅନ୍ୟ ପଦାଧିକାରୀମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ଅବସରରେ ଯୁଗ୍ମ ସମ୍ପାଦକ ଦେବହରି ବେହେରା, କୋଷାଧ୍ୟକ୍ଷ ସତ୍ୟ ନାରାୟଣ, କିରଣ କୁମାର ସାହୁ, ସଂଯୋଜକ ପ୍ରଭାକର ପାଢ଼ୀ, କାର୍ଯ୍ୟକାରୀ ସଦସ୍ୟ କୁମାର ସୁରଜ ମହାରଣା, ଶିବ ଶଙ୍କର ପାଢ଼ୀ, ବିକ୍ରମ କୁମାର ଜେନା, ଏଲ୍. ଅମ୍ରିତ୍ ରାଜ,ଆଦିତ୍ୟ କୁମାର ପଟ୍ଟନାୟକ, ମିଡିଆ ସେଲ ଦାଇତ୍ୱରେ ଥିବା ସୁଦୀପ କୁମାର ସାହୁ, ପ୍ରହଲ୍ଲାଦ ସାହୁ ଓ ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଅଶୋକ ନଗରରେ ୧୯ତମ ସିଦ୍ଧି ବିନାୟକ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ





