ବ୍ରହ୍ମପୁରରୁ ୧୧ରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା I ୫ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ କରିବେ ତୀର୍ଥଯାତ୍ରା

Pradeep Kar

ବ୍ରହ୍ମପୁର, ତା. ୦୯/୦୯/୨୦୨୬: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସିର ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ତୀର୍ଥଯାତ୍ରା ବ୍ରହ୍ମପୁରରୁ ଆରମ୍ଭ ହେବ। ଏହି ଯାତ୍ରାରେ ୫ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିବେ। ସେମାନଙ୍କ ସହ ୨୫ ଜଣ ଏସ୍କର୍ଟ ଅଧିକାରୀ ଯାତ୍ରା କରିବେ।ଏହି ତୀର୍ଥଯାତ୍ରାରେ ଗଞ୍ଜାମରୁ ୪୩୮ ଜଣ, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ ଏବଂ ନୟାଗଡ଼ରୁ ୧୧୯ ଜଣ ତୀର୍ଥଯାତ୍ରୀ ସାମିଲ ହେବେ। ସେପ୍ଟେମ୍ବର ୧୦ ତାରିଖରେ ତୀର୍ଥଯାତ୍ରୀମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କର ପଞ୍ଜୀକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେହି ସନ୍ଧ୍ୟାରେ ତୀର୍ଥଯାତ୍ରୀମାନଙ୍କ ସ୍ୱାଗତ ଅବସରରେ ଗଞ୍ଜାମର ପାରମ୍ପରିକ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ କରାଯିବ।ସେପ୍ଟେମ୍ବର ୧୧ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରୁ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ ହେବ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ଅତିଥିମାନେ ଟ୍ରେନ୍‌କୁ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିବେ। ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ପବିତ୍ର ତୀର୍ଥସ୍ଥଳ ପରିଦର୍ଶନ କରିବେ। ଯାତ୍ରା ସମୟରେ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିସହ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଟ୍ରାଭେଲ୍ କିଟ୍ ଓ ହ୍ୟାଣ୍ଡ ଟ୍ୟାଗ୍ ପ୍ରଦାନ କରାଯିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ କୋଚ୍‌ରେ ଏସ୍କର୍ଟ ଅଧିକାରୀ ନିୟୋଜିତ ରହିବେ। ସମଗ୍ର ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କ ଆବଶ୍ୟକତା, ସୁରକ୍ଷା ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ସହ ଯାତ୍ରାର ସୁଚାରୁ ପରିଚାଳନା ପାଇଁ ଏସ୍କର୍ଟ ଅଧିକାରୀମାନେ ସମନ୍ୱୟ ରକ୍ଷା କରିବେ।

Also Read

Tags