ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଫୁଲ ତୋଳୁଥିବା ସମୟରେ ଦୁଇ ଜଣ ମହିଳାଙ୍କ ଉପରେ ଏକ ଟ୍ରକ ଚଢ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ମହିଳା ଜଣକ ଖଡ଼ଭାଗ ଗ୍ରାମର ବୃଦ୍ଧା ଅହଲ୍ୟା ଗୌଡ଼ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ଆହତ ସୁକାନ୍ତି ସାହୁଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




