ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ଅବସରରେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ

Pradeep Kar

ବ୍ରହ୍ମପୁର, ୦୫/୧୦/୨୦୨୬: ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଫ୍ରେଣ୍ଡସ ହେଲ୍ପିଙ୍ଗ କ୍ଲବର ମିଳିତ ସହଯୋଗରେ “ଆସ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସଦସ୍ୟଙ୍କ ନାମରେ ବୃକ୍ଷରୋପଣ କରାଯାଇ ସେଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ ଲୁହା ଜାଲି ଲଗାଯାଇଥିବା ବେଳେ, ସେଥିରେ ଫ୍ରେଣ୍ଡସ ହେଲ୍ପିଙ୍ଗ କ୍ଲବର ସଦସ୍ୟମାନଙ୍କ ନାମ ଲଗାଯାଇଥିଲା। ବୃକ୍ଷଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷାର ଦାୟିତ୍ୱ ମଧ୍ୟ ସଦସ୍ୟମାନେ ନେଇଥିଲେ। ବ୍ରହ୍ମପୁର ସହରର ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ବିଭିନ୍ନ ସ୍ଥାନରେ ସବୁଜ ବାହିନୀ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଇ ମିନି ଫରେଷ୍ଟ ସୃଷ୍ଟି କରାଯାଇଛି। ଏହି ମିନି ଫରେଷ୍ଟଗୁଡ଼ିକ ବନ୍ୟପ୍ରାଣୀଙ୍କ ପାଇଁ ପ୍ରାକୃତିକ ଆଶ୍ରୟସ୍ଥଳୀ ସୃଷ୍ଟି କରିବା ସହ ପରିବେଶର ସନ୍ତୁଳନ ରକ୍ଷାରେ ସହାୟକ ହେବ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରାକୃତିକ ଆବାସ ସଂରକ୍ଷଣ ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ବୃକ୍ଷଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ନେବାକୁ ଏହି ଅଭିଯାନ ମାଧ୍ୟମରେ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏଥିରେ ଚନ୍ଦନ ରାଉତ, ପି. ବିନୋଦ, ଏମ୍. ଦିଲ୍ଲୀପ କୁମାର, ରବି ସାହାଣୀ, ସବ୍ୟସାଚୀ ପଣ୍ଡା ଓ ଗଣେଶ ପାଣିଗ୍ରାହୀଙ୍କ ସମେତ ଫ୍ରେଣ୍ଡସ ହେଲ୍ପିଙ୍ଗ କ୍ଲବର ସଭାପତି ଅନୀଲ ଚୌଧୁରୀ, ସମ୍ପାଦକ କିରଣ କୁମାର , ଡକ୍ଟର ଟି ପ୍ରକାଶ ରାଓ, ଡକ୍ଟର କେ ସଂସ୍କାର ରାଓ, ଡକ୍ଟର ଜେ ସୋମେଶ୍ୱର ରାଓ, ଡକ୍ଟର ଜେ ଭର୍ଟଦୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Also Read

Tags