ବ୍ରହ୍ମପୁର୧୩/୧୦ ଜ୍ୟୋତ୍ସ୍ନା ଶାନ୍ତି ଫାଉଣ୍ଡେସନ, ବଲାଙ୍ଗୀର ପକ୍ଷରୁ ବ୍ରହ୍ମପୁର ସହର ଅନ୍ତର୍ଗତ ଗୋସାଣୀନୂଆଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ କାଳୁଆଙ୍କ ମହିମା ଆଧାରିତ ନୂତନ ଭକ୍ତି ସଙ୍ଗୀତ ‘ମାଆ କାଳୁଆ ଲୋ’ ଉନ୍ମୋଚିତ ହୋଇଯାଇଛି। ଏହି ଭକ୍ତି ସଙ୍ଗୀତ ମାଧ୍ୟମରେ ମାଆ କାଳୁଆଙ୍କ ମହିମା, ଭକ୍ତି ଓ ଆସ୍ଥାର ବାର୍ତ୍ତା ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ କରାଯାଇଛି। ଏହି ଗୀତଟି ଜ୍ୟୋତ୍ସ୍ନା ଶାନ୍ତି ଫାଉଣ୍ଡେସନ ପକ୍ଷରୁ ଏମ୍.ବି.ଏସ୍. ପ୍ରଡକ୍ସନ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରକାଶ ପାଇଛି। ଗୀତର ଗୀତିକାର ଓ କଣ୍ଠଶିଳ୍ପୀ ହେଉଛନ୍ତି ମନୋଜ ପାଣିଗ୍ରାହୀ। ଜ୍ୟୋତ୍ସ୍ନା ଶାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ପାଳ ଏହି ସଙ୍ଗୀତର ପ୍ରଯୋଜନା କରିଛନ୍ତି। ଗୀତର ସମ୍ପାଦନା ଅଲେଖ କୁମାର ଓ.ଇ.ଇ.ଏସ୍.( ଜିଲ୍ଲା ପ୍ରଶାସନିକ ଅଧିକାରୀ)କରିଥିବା ବେଳେ ବଟକୃଷ୍ଣ ଚୌଧୁରୀ ଓ ଲିଟୁ ପଣ୍ଡା ସହଯୋଗ କରିଛନ୍ତି। ଷ୍ଟୁଡିଓ ରେକର୍ଡିଂ ଦାୟିତ୍ୱ ତୁଲାଇଛନ୍ତି ଦେବାଶିଷ ମିଶ୍ର।ଗୀତ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ରୂପେ ୨୭ ନମ୍ବର ୱାର୍ଡର କର୍ପୋରେଟର ନୀଳକଣ୍ଠ ସାହୁଙ୍କ ସମେତ ମନ୍ଦିର କମିଟିର ସଭାପତି ଜଗନ୍ନାଥ ଚୌଧୁରୀ ,ବରିଷ୍ଠ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ ଙ୍କ ସମେତ ବହୁ ଯାତ୍ରା କମିଟି ସଦସ୍ୟ ଯୋଗଦେଇଥିଲେ। ଏହା ସହିତ ଫାଉଣ୍ଡେସନର ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ନିରଞ୍ଜନ ପାଳ, ଅମୀର କୁମାର ଦାଶ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା, ସୁଦର୍ଶନ ମଣ୍ଡଳ ଓ ସବିତା ସାହୁଙ୍କ ବିନୋଦିନୀ ନାୟକ ଭବାନୀ ଶଙ୍କର ସାହୁ ଆଲୋକ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ମାଆ କାଳୁଆ ପୂଜା କମିଟି ଓ ଗୋସାଣୀନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପାଇଁ ଫାଉଣ୍ଡେସନ ପକ୍ଷରୁ ବିଶେଷ ଧନ୍ୟବାଦ ଜଣାଯାଇଥିଲା। ସମସ୍ତଙ୍କ ଉପସ୍ଥିତି ଓ ସହଯୋଗରେ କାର୍ଯ୍ୟକ୍ରମଟି ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା। ଜ୍ୟୋତ୍ସ୍ନା ଶାନ୍ତି ଫାଉଣ୍ଡେସନ ପକ୍ଷରୁ ଏଭଳି ଭକ୍ତିମୂଳକ ଓ ସାଂସ୍କୃତିକ ପ୍ରୟାସ ମାଧ୍ୟମରେ ଓଡ଼ିଆ ସଙ୍ଗୀତ, କଳା, ସଂସ୍କୃତି ଓ ଆଧ୍ୟାତ୍ମିକ ଭାବଧାରାର ପ୍ରସାର ଜାରି ରଖିବାକୁ ଉଦ୍ୟମ କରାଯାଉଛି । ‘କାଳୁଆ ଲୋ’ ଭକ୍ତି ସଙ୍ଗୀତଟି ଭକ୍ତମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଜ୍ୟୋତ୍ସ୍ନା ଶାନ୍ତି ଫାଉଣ୍ଡେସନ ପକ୍ଷରୁ ‘କାଳୁଆ ଲୋ’ ଭକ୍ତି ସଙ୍ଗୀତ ଉନ୍ମୋଚିତ





