ଘର ସାମ୍ନାରୁ ନିଖୋଜ ଶିଶୁକନ୍ୟା ଉଦ୍ଧାର, ସନ୍ଦିଗ୍ଧ ଅପହରଣ କାରୀ ଥାନାରେ ଅଟକ I ହଜିଲା କନ୍ୟାକୁ ଫେରିପାଇଲେ ପରିବାର

Pradeep Kar

ବାରିପଦା, ସୋମବାର ଦିନ ବାରିପଦା ସହର ଯମୁନାଦେଇପୁର ଅଞ୍ଚଳରେ ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ସାଢ଼େ ୪ ବର୍ଷର ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବାରିପଦା ପୋଲିସ। ଘଟଣାର ତଦନ୍ତ କରି ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ସିସିଟିଭି ଫୁଟେଜରୁ ମିଳିଥିବା ସୁରାକ ଆଧାରରେ ପୋଲିସ ରାତିସାରା ଖୋଜାଖୋଜି କରିବା ପରେ ଭୋର ପ୍ରାୟ ୫ଟା ସମୟରେ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ବାରିପଦା ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଘର ନିକଟରେ ଖେଳୁଥିବା ସମୟରେ ଶିଶୁକନ୍ୟାଟି ନିଖୋଜ ହୋଇଯାଇଥିଲା। ଏନେଇ ଶିଶୁକନ୍ୟାର ମାଆଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ ବେଳେ ଜଣେ ବ୍ୟକ୍ତି ଶିଶୁକନ୍ୟାକୁ ସାଇକେଲରେ ନେଇଯାଉଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ମୁର୍ଗାବାଡ଼ି ସମେତ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିଥିଲା। ରାତିସାରା ଚାଲିଥିବା ଖୋଜାଖୋଜି ମଧ୍ୟରେ ଭୋର ପ୍ରାୟ ୫ଟା ସମୟରେ ଜଣେ ବ୍ୟକ୍ତି ଶିଶୁକନ୍ୟାକୁ ଛାଡ଼ି ପଳାଉଥିବା ନେଇ ପୋଲିସ ସୂଚନା ପାଇଥିଲା ପୋଲିସ। ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶୁକନ୍ୟାକୁ ଉଦ୍ଧାର କରାଯିବା ସହ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିଲା। ଉଦ୍ଧାର ପରେ ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ତା’ର ପରିବାରକୁ ହସ୍ତାନ୍ତର କରାଯାଇଛି। ଅଟକ ସନ୍ଦିଗ୍ଧଙ୍କ ନାମ କୃଷ୍ଣା ଓରଫ ହରେକୃଷ୍ଣ ଘୋଷ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କ ଘର ପଶ୍ଚିମବଙ୍ଗର ଝାଟିଗୋଡ଼ା, ଗୋପୀବଲ୍ଲଭପୁର ଅଞ୍ଚଳରେ। ସେ ବାରିପଦା ଅଞ୍ଚଳରେ ରହି ବିଭିନ୍ନ କାମଧନ୍ଦା କରୁଥିଲେ। ପୋଲିସର ପ୍ରାଥମିକ ପଚରାଉଚରାରେ ତାଙ୍କ ଆଚରଣ ଅସ୍ୱାଭାବିକ ଥିବା ଜଣାପଡ଼ିଥିବା ବେଳେ ତାଙ୍କ ପୃଷ୍ଠଭୂମି, ଘଟଣା ପଛର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏଥିସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ପୋଲିସ ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ ଜାରି ରଖିଛି।

Also Read

Tags