ସେରଗଡ଼, ତାରିଖ: ୨୯.୧୦.୨୦୨୬ ସ୍ଥାନ: ଗୋବିନ୍ଦପୁର ଗ୍ରାମ, ଗଞ୍ଜାମ ଜିଲ୍ଲାର ସେରଗଡ଼ ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ସେରଗଡ଼ ଅଗ୍ନିଶମ ବାହିନୀ ପକ୍ଷରୁ ଏକ ସାହସିକ ଉଦ୍ଧାର କାର୍ଯ୍ୟ କରାଯାଇଛି। ସେରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମର ୪୧ ବର୍ଷୀୟା ଶ୍ରୀମତୀ ସବିତା ସ୍ୱାଇଁ ବନ୍ୟା ପାଣି ଘେରରେ ଥିବା ନିଜ ଘରେ ରହିଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଥିଲା। ଖବର ପାଇବା ମାତ୍ରେ ସେରଗଡ଼ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାରିଆଡ଼େ ବନ୍ୟା ପାଣି ଘେରି ରହିଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ତାଙ୍କ ଜଳମଗ୍ନ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମହିଳାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସହାୟତା ପ୍ରଦାନ କରାଯାଇ ସେରଗଡ଼ ଡାକ୍ତରଖାନାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେରଗଡ଼ ଅଗ୍ନିଶମ ବାହିନୀର ଏହି ତତ୍ପରତା, ସାହସ ଓ ମାନବିକତା ନିଶ୍ଚିତ ଭାବେ ପ୍ରଶଂସନୀୟ।




