ବ୍ରହ୍ମପୁର ତାରିଖ: ୨୯ ଅକ୍ଟୋବର ୨୦୨୬ସ୍ଥାନ: ବ୍ରହ୍ମପୁର / ଭୁବନେଶ୍ୱର ବିଷୟ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ, ଗଜପତି ତଥା ଦକ୍ଷିଣ ଓଡ଼ିଶାରେ ଚାଷୀ ଓ ଜନସାଧାରଣଙ୍କ ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଯୋଗାଇଦେବା ପାଇଁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଚିଠି ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ସୃଷ୍ଟ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସମେତ ଗଞ୍ଜାମ, ଗଜପତି ତଥା ସମଗ୍ର ଦକ୍ଷିଣ ଓଡ଼ିଶାରେ ଚାଷୀ, ଖଟିଖିଆ ଜନସାଧାରଣ ଓ ସାଧାରଣ ଲୋକେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବିସ୍ତୃତ ପତ୍ର ଲେଖି ତୁରନ୍ତ ସ୍ୱତନ୍ତ୍ର ରିଲିଫ୍ ତଥା ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରିବାକୁ ଦାବି ଜଣାଇଛନ୍ତି। ସାଂସଦ ଡ.ପାଣିଗ୍ରାହୀ ସ୍ଥାନୀୟ ଚାଷୀ, ଜନପ୍ରତିନିଧି ଏବଂ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ପ୍ରମୁଖ ସମସ୍ୟା ଓ କ୍ଷୟକ୍ଷତିର ଚିତ୍ର:ଅତ୍ୟଧିକ ବର୍ଷା ଓ ଜଳବନ୍ଦୀ ଅବସ୍ଥା: ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ରାଜ୍ୟର ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ହାରାହାରି ୨୫୪ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଋଷିକୁଲ୍ୟା, ବଡ଼ନଦୀ, ବାହୁଦା ଏବଂ ଘୋଡ଼ାହାଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ କିମ୍ବା ପାଖାପାଖି ପ୍ରବାହିତ ହେଉଛି। ସାନଖେମୁଣ୍ଡି ବ୍ଲକର ପୋଡ଼ାମାରୀ ନିକଟସ୍ଥ ଘୋଡ଼ାହାଡ଼ ନଦୀ ବ୍ରିଜ୍ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେବା ଫଳରେ ଆସିକା-ଦିଗପହଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା: ଲଗାଣ ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଫଳରେ ହଜାର ହଜାର ହେକ୍ଟର ଜମିରେ ଥିବା ଧାନ ଫସଲ, ପନିପରିବା, ପାନବରଜ ଓ କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶେଷକରି ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି, ହିଞ୍ଜିଳି, ଶେରଗଡ଼ ଓ ଗଜପତିର ପାହାଡ଼ିଆ ଅଞ୍ଚଳରେ ଚାଷୀମାନେ ଚରମ ଆର୍ଥିକ କ୍ଷତି ସହିଛନ୍ତି। ସହର ଓ ଗାଁ ଗଣ୍ଡାରେ ବନ୍ୟା ପରିସ୍ଥିତି: ବ୍ରହ୍ମପୁର ମହାନଗର ନିଗମର ପାଣିଗ୍ରାହୀ ନଗର, ଶାନ୍ତିନଗର, ଗଜପତି ନଗର ସମେତ ତଳିଆ ଅଞ୍ଚଳରେ ଘରେ ପାଣି ପଶି ଲୋକଙ୍କ ଆସବାବପତ୍ର ନଷ୍ଟ ହୋଇଛି। ଗ୍ରାମାଞ୍ଚଳରେ ମଧ୍ୟ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ଯୋଗାଯୋଗ ବିପର୍ଯ୍ୟସ୍ତ: ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଧୋଇଯିବା ସହ ଗଛ ଉପୁଡ଼ି ପଡ଼ି ଯାତାୟାତ ଏବଂ ନିତ୍ୟପ୍ରୟୋଜନୀୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସାଂସଦଙ୍କ ପ୍ରମୁଖ ଦାବିଗୁଡ଼ିକ:ସ୍ୱତନ୍ତ୍ର କୃଷି ସହାୟତା ପ୍ୟାକେଜ୍: ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ ତୁରନ୍ତ ହେକ୍ଟର ପିଛା ଉପଯୁକ୍ତ ଇନପୁଟ୍ ସବସିଡି (କ୍ଷତିପୂରଣ) ସିଧାସଳଖ ପ୍ରଦାନ କରାଯାଉ।କୃଷି ଋଣ ଛାଡ଼ ଓ ସ୍ଥଗିତ: ଚାଷୀମାନଙ୍କ ସମବାୟ ଓ ବ୍ୟାଙ୍କ ଋଣ ପରିଶୋଧ ଉପରେ ସାମୟିକ ରୋକ୍ ଲଗାଇବା ସହ ସୁଧ ଛାଡ଼ ବ୍ୟବସ୍ଥା କରାଯାଉ। ରବି ଋତୁ ପାଇଁ ମାଗଣା ବିହନ: ଆଗାମୀ ରବି ଋତୁ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉନ୍ନତ ମାନର ସ୍ୱଳ୍ପମିଆଦୀ ବିହନ ଓ ସାର ବିନା ମୂଲ୍ୟରେ ଯୋଗାଇ ଦିଆଯାଉ। ଯୁଗ୍ମ କ୍ଷୟକ୍ଷତି ଆକଳନ: ରାଜସ୍ୱ ଏବଂ କୃଷି ବିଭାଗ ପକ୍ଷରୁ ମିଳିତ ଟିମ୍ ଗଠନ କରି ୭ ରୁ ୧୦ ଦିନ ମଧ୍ୟରେ ସ୍ୱଚ୍ଛ ଭାବେ କ୍ଷୟକ୍ଷତି ତାଲିକା ପ୍ରସ୍ତୁତ କରାଯାଉ।ଘରଭଙ୍ଗା ସହାୟତା ଓ ନଦୀବନ୍ଧ ମରାମତି: ଭାଙ୍ଗିଯାଇଥିବା କଚ୍ଚା ଘର ପାଇଁ ତୁରନ୍ତ ସହାୟତା ରାଶି ଏବଂ ଦୁର୍ବଳ ନଦୀବନ୍ଧ ଓ କେନାଲ୍ଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉ।ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିପର୍ଯ୍ୟୟ ସମୟରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଦକ୍ଷିଣ ଓଡ଼ିଶାର ଚାଷୀ ଓ ପ୍ରଭାବିତ ପରିବାରମାନଙ୍କୁ ଶୀଘ୍ର ନ୍ୟାୟ ଏବଂ ସହାୟତା ଯୋଗାଇଦେବେ ବୋଲି ସାଂସଦ ଡ. ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ, ଗଜପତି ତଥା ଦକ୍ଷିଣ ଓଡ଼ିଶାରେ ଚାଷୀ ଓ ଜନସାଧାରଣଙ୍କ ବ୍ୟାପକ କ୍ଷୟକ୍ଷତିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ





